ଅନ୍‌ଲାଇନ୍‌ ପାଠ ପଢି ପାରୁନାହାନ୍ତି ୩୭ ପ୍ରତିଶତ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : କରୋନା ଲଗାତାର ସ୍କୁଲ ବନ୍ଦ ରହିବା ଯୋଗୁ ୩୭ ପ୍ରତିଶତ ଛାତ୍ରଛାତ୍ରୀ ଆଦୌ ପଢି ପାରୁନାହାନ୍ତି। ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୩୬୨ ସ୍କୁଲର ବିଦ୍ୟାର୍ଥୀଙ୍କୁ ନେଇ କରାଯାଇଥିବା ନମୁନା ସର୍ଭେରେ ଏହା ଜଣାପଡିଛି।

ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ସ୍ମାର୍ଟ ଫୋନ୍‌ ଅଭାବ, ନେଟୱାର୍କ ସମସ୍ୟା ଯୋଗୁଁ ସହରର ୧୯ ପ୍ରତିଶତ ପାଠରୁ ବଞ୍ଚିତ ହୋଇଥିବା ବେଳେ ମାତ୍ର ୮ ପ୍ରତିଶତ ନିୟମିତ ଅନଲାଇନରେ ପାଠ ପଢ଼ି ପାରୁଛନ୍ତି। ସେହିପରି ଗ୍ରାମାଞ୍ଚଳର ୪୮ ପ୍ରତିଶତ ପିଲା ଶବ୍ଦ ଧରି ପାରୁନାହାନ୍ତି। ୬୫ ପ୍ରତିଶତ ଅଭିଭାବଙ୍କ ଅନୁଭବ ହେଉଛି ଲକ୍‌ଡାଉନ୍‌ ପରଠାରୁ ତାଙ୍କ ପୁଅଝିଅଙ୍କ ପଢିବା ଓ ଲେଖିବା ଦକ୍ଷତା ହ୍ରାସ ପାଇଛି। ଅନ୍‌ଲାଇନ୍‌ ପାଠରେ ସବୁଠାରୁ ଅଧିକ ଶୋଚନୀୟ ହୋଇଛି ଅନୁସୂଚିତ ଜାତି, ଜନଜାତି ପିଲାଙ୍କ ଅବସ୍ଥା। ଏହି ବର୍ଗର କେବଳ ୪ ପ୍ରତିଶତ ବିଦ୍ୟାର୍ଥୀ ନିୟମିତ ପଢି ପାରୁଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ରହିଛି ୧୫ ପ୍ରତିଶତ।

ସର୍ଭେରେ ନିଯୁକ୍ତ ୧୦୦ ଜଣ ସ୍ୱେଚ୍ଛାସେବୀ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଅନ୍‌ଲାଇନ୍‌ ପାଠପଢ଼ାର ସ୍ଥିତି ଅନୁଧ୍ୟାନ କରିଥିଲେ। ସରକାରୀ ସ୍କୁଲ ଯାଉଥିବା ବସ୍ତି ଓ ଗାଁ ବିଦ୍ୟାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ଅନ୍‌ଲାଇନ୍‌ ଶିକ୍ଷାକୁ ଡିଜିଟାଲାଇସେନ୍‌ ଦୁଇ ଭାଗ କରିଛି। ଗାଁର ୫୧ ପ୍ରତିଶତ ଘରେ ସ୍ମାର୍ଟଫୋନ ରହିଛି। ସହରର ୩୧ ପ୍ରତିଶତ, ଗ୍ରାମାଞ୍ଚଳର ୧୫ ପ୍ରତିଶତ ପିଲା ନିୟମିତ ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୧୨ ପ୍ରତିଶତ ପିଲାଙ୍କର ନିଜସ୍ୱ ସ୍ମାର୍ଟଫୋନ ରହିଛି। ଅନ୍ୟମାନେ ନିଜର କର୍ମଜୀବୀ ଅଭିଭାବକଙ୍କ ଫୋନ ବ୍ୟବହାର କରନ୍ତି। ସେମାନେ ନେଟୱାର୍କ, ଡାଟା ଓ ଆର୍ଥିକ ଦୁରବସ୍ଥା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରର ୫୭ ପ୍ରତିଶତ ଓ ଗାଁର ୬୫ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ରେ ନେଟୱାର୍କ ସମସ୍ୟାର ସାମ୍ନା କରୁଛନ୍ତି। ଏହାଛଡା ସହରର ୪୬ ପ୍ରତିଶତ ଓ ଗାଁର ୪୩ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ରେ ପାଠ୍ୟ ସାମଗ୍ରୀ ଖୋଜିବା କଷ୍ଟକର ହେଉଥିବା ସେମାନେ କହିଛନ୍ତି। ଏଥିଯୋଗୁଁ ସହରର ୯୦ ପ୍ରତିଶତ ଓ ଗାଁର ୯୭ ପ୍ରତିଶତ ପୁଣି ଥରେ ସ୍କୁଲ ଖୋଲାଯାଉ ବୋଲି ମତ ଦେଇଛନ୍ତି। ଘରେ ରହିବା କାରଣରୁ ଅନେକ ମନେ କରୁଛନ୍ତି ସେମାନଙ୍କ ପିଲାଙ୍କ ସ୍ତର ତଳକୁ ଖସିଥିବାରୁ ସ୍କୁଲ ଶିକ୍ଷା ଏକମାତ୍ର ଆଶା। ଅନ୍‌ଲାଇନ୍‌ରେ ପଢିପାରୁଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ବହୁତ କମ୍‌ ଅଫ୍‌ଲାଇନ୍‌ରେ ପାଠ ପଢୁଥିବା ଦେଖାଯାଉଛି। ସମୁଦାୟ ସ୍ଥିତି ଯୋଗୁଁ ସାକ୍ଷରତା ହାର ହ୍ରାସ ପାଇଥିବା ସର୍ଭେରୁ ଜଣାପଡ଼ିଛି। ଲେଖା, ପଢାରେ ସାମୂହିକ ଭାବରେ ସମସ୍ତଙ୍କ ସ୍ତର ହ୍ରାସ ପାଇଥିଲେ ମଧ୍ୟ ଲକ୍‌ଡାଉନ୍‌ ପୂର୍ବ ଅପେକ୍ଷା ଅନେକ ସଂଖ୍ୟାରେ ପିଲା ଉଚ୍ଚ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button