ସାଂସଦ ଅପରାଜିତା ଓ ବିଜେଡି ନେତ୍ରୀ ଶ୍ରୀମୟୀ ମୁହାଁମୁହିଁ

ଭୁବନେଶ୍ଵର : ଡ଼ିଶାର ଶାସନ ବ୍ୟବସ୍ଥାରେ ଏବେ ଦକ୍ଷିଣ ଭାରତୀୟ ଲବିର ପ୍ରଭାବ ଅଧିକ। ରାଜ୍ୟର ବଡ଼ବଡ଼ ଠିକା କାର୍ଯ୍ୟରେ ମଧ୍ୟ ଦକ୍ଷିଣ ଭାରତୀୟ ଉଦ୍ୟୋଗପତି ଓ ଠିକାଦାରମାନେ କାୟାବିସ୍ତାର କରୁଛନ୍ତି। ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହାର ଉତ୍ତରରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି। ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ କାହିଁକି ଅପରଜିତାଙ୍କୁ ପସନ୍ଦ ଆସୁନି ବୋଲି ସେ ପ୍ରଶ୍ନ କରିଛନ୍ତି।
ଖବର ଅନୁଯାୟୀ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ଗଣମାଧ୍ୟମକୁ କହିଛନ୍ତି ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଯାଇଛି। ରୁଲ୍ ବୁକର ଉଲ୍ଲଙ୍ଘନ କରି ସଚିବ ଜନସଭା କରୁଥିବା ବେଳେ ଉନ୍ନୟନ ପ୍ରକଳ୍ପ ଘୋଷଣା କରୁଛନ୍ତି। ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। କେବେଳ ସେତିକି ନୁହେଁ ଆମ ଓଡ଼ିଶାରେ ନିର୍ବାଚିତ ଜନ ପ୍ରତିନିଧିମାନେ ନେତୃତ୍ୱ ନେଉଛନ୍ତି ନା ସମ୍ପୂର୍ଣ ଶାସନ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ହରଣ ହୋଇ ସାରିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଶ୍ରୀମତୀ ଷଡ଼ଙ୍ଗୀ ପୁଣି ପ୍ରଶ୍ନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଓ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ କ’ଣ ନିର୍ଦ୍ଦେଶ ଦିଆଯାଇଛି ? କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ଥ ସରକାରୀ ସଚିବ ସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି ?

ସେହିପରି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ଚାକିରି ଛାଡି ରାଜନୀତିରେ ସାମିଲ ହେବା ଦିନଠାରୁ ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ତାଙ୍କ ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରି ପାରିନାହାଁନ୍ତି। ଲୋକଙ୍କ ବିକାଶ ପାଇଁ କାମ କରିବା ହେଉଛି ଜଣେ ରାଜନୈତିକ ଲୋକଙ୍କ ମୁଖ୍ୟ ଏଜେଣ୍ଡା। ତେଣୁ ହସ୍ପିଟାଲରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିବାରେ ଭୁଲ ରହିଲା କେଉଁଠି ? ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ କେଉଁଠି ଭୁଲ ରହିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ? କ୍ୟାପିଟାଲ ରିଙ୍ଗ୍ ରୋଡ୍, ମଡେଲ ରେଲୱେ ଷ୍ଟେସନ୍, କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଯାଇଛି।