ବରୀ : ବିଶ୍ୱରଞ୍ଜନଙ୍କ ସହ ବ୍ଲକ୍‌ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜେପି ଛାଡ଼ିଲେ

ଯାଜପୁର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ବରୀ ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟା ରଞ୍ଜିତା ସାମଲ, ବରୀ ବ୍ଲକ୍ ଅଧ୍ୟକ୍ଷା ସୁବାସିନୀ ଶର୍ମା ଓ ଉପାଧ୍ୟକ୍ଷ ରମେଶ ଭଞ୍ଜ ପ୍ରମୁଖ ବିଜେପିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ରରେ ୪ଜଣ ନେତା ଦସ୍ତଖତ କରି ବିଜେପି ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି। ଚର୍ଚ୍ଚା ହେଉଛି ବିଶ୍ୱରଞ୍ଜନଙ୍କ ସମେତ ସମସ୍ତେ ବିଜେଡିରେ ମିଶିବେ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି।

ସୂଚନାଯୋଗ୍ୟ ୨୦୧୯ ସଧାରଣ ନିର୍ବାଚନରେ ବିଶ୍ୱରଞ୍ଜନ ବରୀରୁ ବିଜେପି ପ୍ରାର୍ଥୀ ହୋଇ ୪୦୬୨ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ସୁନନ୍ଦା ଦାସଙ୍କ ଠାରୁ ହାରିଥିଲେ। ଏହାପୂର୍ବରୁ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରୁ ବଞ୍ଚିତ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଠାରୁ ୭୧୭୩ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ। କୁହାଯାଉଛି ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଶ୍ୱରଞ୍ଜନଙ୍କୁ ବିଜେଡିରେ ମିଶିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ସେତେବେଳେ ବିଜେପିର ସ୍ଥିତି ଓ ସମର୍ଥନକୁ ଲକ୍ଷ୍ୟ କରି ସେ ଦଳ ଛାଡ଼ି ନଥିଲେ। ଏବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନରେ ତୃଣମୂଳରେ ନିଜ ସଙ୍ଗଠନକୁ ଶାଣିତ କରିବା ପାଇଁ ବିଶ୍ୱଙ୍କ ଟିମ୍‌ ବିଜେଡି ମୁହାଁ ହୋଇଛି। ଆଗକୁ ବ୍ଲକ୍‌ର ୨୫ରୁ ୩୦ଜଣ ସରପଞ୍ଚ ଓ ସମିତିସଭ୍ୟ ବିଜେପିରୁ ଇସ୍ତଫା ଦେବେ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଯାହା ବରୀ ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି। ଏହାପୂର୍ବରୁ ଧର୍ମଶାଳାର ୩ ଥର ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ତୁଷାର ପରିଡ଼ା ଓ ତାଙ୍କ ସମର୍ଥକମାନେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button