ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ
କଟକ : ଲିଫ୍ଟ ଦେଇ ଯୁବତୀଙ୍କୁ ଟାଙ୍ଗୀ-ଚୌଦ୍ୱାର ନିକଟରେ ଦୁଷ୍କର୍ମ ଉଦ୍ୟମ। ଏପରି ଘଟଣା ବୁଧବାର ଘଟିଥିବା ଜଣାପଡିଛି।
ଖବର ଅନୁଯାୟୀ ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ୱର ପଟିଆ ଅଞ୍ଚଳର ଯୁବତୀ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ ହେଁ ବସ୍ ଆସିବାରେ ବିଳମ୍ୱ ହୋଇଥିଲା। ରାତି ପ୍ରାୟ ୮ଟା ବେଳେ ଜଣେ ଯୁବକ ତାଙ୍କୁ ବାଇକ୍ରେ ଲିଫ୍ଟ ଦେଇ କଟକରେ ଛାଡିଦେବ ବୋଲି କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଯୁବତୀ ବାଇକ୍ରେ ଆସିଥିଲେ ଓ ପେଟ୍ରୋଲ୍ ପକାଇବା ପାଇଁ ୩୦୦ ଟଙ୍କା ଦେଇଥିଲେ। ହେଲେ ଯୁବକ ଜଣକ କଟକ ମୁଖ୍ୟ ରାସ୍ତା ଟାଙ୍ଗୀ-ଚୌଦ୍ୱାର ନିକଟରେ ଦୁଷ୍କର୍ମ ଉଦ୍ୟମ କରିବାରୁ ସେ ବିରୋଧ କରିଥିଲେ। ସେଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ହେବାରୁ ଯୁବତୀ ତଳେ ପଡ଼ି ରକ୍ତାକ୍ତ ହୋଇଯିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସିଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ଚମ୍ପଟ ମାରିଥିଲା।
ସ୍ଥାନୀୟ ଲୋକେ ୧୦୮ ଆମ୍ୱୁଲାନ୍ସକୁ ଖବର ଦେବାରୁ ଆମ୍ୱୁଲାନ୍ସ କର୍ମଚାରୀମାନେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ, ଗୋଡ଼, ପେଟ ଓ ଛାତିରେ ଆଘାତ ଲାଗିଛି। ପୀଡ଼ିତା ଏନେଇ ମେଡ଼ିକାଲ୍ ଫାଣ୍ଡିରେ ଅଭିଯୋଗ କରିବାରୁ କଟକ କମିଶନ୍ରେଟ୍ ପୋଲିସ ମାମଲା ରୁଜୁକରି ତାଙ୍କ ବୟାନ୍ ରେକର୍ଡ କରିଛି। ହେଲେ ଅଭିଯୁକ୍ତ ଧରାପଡିନଥିବା ଜଣାପଡିଛି।