ବାଂଲା ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବ : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଶନିବାର ସକାଳେ ବାଂଲାଦେଶର ଖେପୁପଡ଼ା ଓ ମୋଙ୍ଗଲା ମଧ୍ୟରେ ସ୍ଥଳଭାଗ ଛୁଇଁବ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଗଭୀର ଅବପାତ ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ଏହାର ନାଁ ‘ମିଧିଲି’ ରଖାଯିବ। ବାତ୍ୟା ମିଧିଲି ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୭୦ କିଲୋମିଟର ବେଗରେ ପବନ ବହିବ।

ସେହିପରି ଗୁରୁବାର ଓ ଶୁକ୍ରବାର ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଓ ଗୁରୁବାର ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ଗଭୀର ସମୁଦ୍ର ଭିତରକୁ ନଯିବାକୁ ଧୀବରମାନଙ୍କୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button