ପତ୍ନୀଙ୍କୁ ଅଫିସ୍‌ରେ ପଶି ହାଣିଲେ ସ୍ୱାମୀ

ଭୁବନେଶ୍ଵର : ବଲଡର ସଂସ୍ଥାର ଅଫିସରେ ପଶି ପତ୍ନୀଙ୍କୁ ହାଣିଲା ସ୍ୱାମୀ। ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ଭୁବନେଶ୍ଵର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପଛ କୃର୍ତ୍ତିବନ୍ଧୁ ଆପାର୍ଟମେଣ୍ଟରେ ଗୋଟିଏ ବଲଡର ସଂସ୍ଥାର ଅଫିସରେ କାର୍ଯ୍ୟ କରନ୍ତି ମଧୁସ୍ମିତା ଦାସ। ସବୁଦିନପରି ସେ ସୋମବାର ଅଫିସ୍ ଆସିଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ମଧୁସ୍ମିତାଙ୍କ ସ୍ୱାମୀ ଅଫିସ୍‌ରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ମଧୁସ୍ମିତା ଜୀବନ ବିକଳରେ ଅଫିସରେ ଦୌଡ଼ୁଥିଲେ ହେଁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ସ୍ଵାମୀ। କର୍ମଚାରୀମାନେ ବହୁ କଷ୍ଟରେ ତାଙ୍କୁ କାବୁ କରି ଭରତପୁର ଥାନାକୁ ସୂଚନା ଦେଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ସ୍ୱାମୀଙ୍କ ଆକ୍ରମଣରେ ଗୁରୁତର ଆହତ ମଧୁସ୍ମିତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button