ଭରଣ ପୋଷଣ ମାମଲା : ୫ଟି ତାରିଖରେ ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭରଣ ପୋଷଣ ମାମଲାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୫ଟି ତାରିଖରେ ଏହି ମାମଲାର ଶୁଣାଣି ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। a

ଖବର ଅନୁଯାୟୀ ଏକ ଭରଣ ପୋଷଣ ମାମଲାରେ କୋର୍ଟ କହିଛନ୍ତି ଏପରି ମାମଲାର ଶୁଣାଣି ୫ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ। ଗୋଟିଏ ତାରିଖରେ ନୋଟିସ ଜାରି କରାଯିବ। ପରବର୍ତ୍ତୀ ତାରିଖରେ ପ୍ରତିପକ୍ଷ ଅଦାଲତରେ ହାଜର ହେବା ସହିତ ଆପତ୍ତି ଦାଖଲ କରିବା ଉଚିତ। ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷୀ ଦେବାକୁ ଚାହିଁବେ ତେବେ ଆଉ ଏକ ତାରିଖ ମଞ୍ଜୁର କରାଯାଇ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇ ପାରିବ। ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷ ହେବ। ଯଦି କୌଣସି ପକ୍ଷ ସାକ୍ଷୀ ଦେବାକୁ ଆଗ୍ରହୀ ନଥିବେ ତେବେ ତୃତୀୟ ତାରିଖରେ ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେବ। ଏପରି ସ୍ଥିତିରେ ଚତୁର୍ଥ ତାରିଖରେ ଚୂଡାନ୍ତ ରାୟ ପ୍ରକାଶ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ସଂଖ୍ୟାଧିକ ଏ ପ୍ରକାର ମାମଲା ବିଚାରାଧୀନ ରହିଥିବା ଦୃଷ୍ଟିରେ ରଖି ଏପରି ଗାଇଡଲାଇନ୍ ଜାରି କରାଯାଇଥିବା ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ନୟାଗଡ଼ ପରିବାର ଅଦାଲତରେ ଭରଣପୋଷଣ ପାଇଁ ପତ୍ନୀ କରିଥିବା ମାମଲାକୁ ଭୁବନେଶ୍ୱର ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ସ୍ୱାମୀ ପ୍ରିୟରଂଜନ ଦାଶ ଦାୟର କରିଥିଲେ। ହାଇକୋର୍ଟର ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଟ୍ରାନ୍ସଫର ପିଟିସନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଆଉ କହିଛନ୍ତି ଏପରି ପରିସ୍ଥିତିରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ପରବର୍ତ୍ତୀ ତାରିଖ ଦିନ ସ୍ୱାମୀ ଆପତ୍ତି ଦାଖଲ କରିବେ ଓ ଉପରୋକ୍ତ ରାୟ ଆଧାରରେ ମାମଲାର ଫେଇସଲା କରାଯିବ। ଦୁଇମାସ ଭିତରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଶେଷ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟଙ୍କ ଏହି ରାୟର କପି ରାଜ୍ୟର ସମସ୍ତ ପରିବାର ଅଦାଲତ ଓ ଜିଲ୍ଲା ଜଜ୍‌ଙ୍କୁ ପଠାଇବାକୁ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button