ପାକିସ୍ତାନକୁ ୩୫୭ ରନର ଟାର୍ଗେଟ୍ ଦେଲା ଭାରତ

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ କ୍ରିକେଟରେ ପାକିସ୍ତାନକୁ ୩୫୭ ରନର ଟାର୍ଗେଟ୍ ଦେଲା ଭାରତ। ଏହି ମ୍ୟାଚରେ ଭାରତର ଦୁଇ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ ଉଭୟ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିବା ବେଳେ ପାକିସ୍ତାନ ଆଗରେ ବିଶା​ଳ ସ୍କୋର କରି ବିଜୟର ଲକ୍ଷ୍ୟ ରଖିଛନ୍ତି।

ଖବର ଅନୁଯାୟୀ ଭାରତ ଗତକାଲିର ଅସମାପ୍ତ ଇନିଂସ ୧୪୭/୨ରୁ ଖେଳିଥିଲା। ବିରାଟ କୋହଲି ଓ କେଏଲ ରାହୁଲ ଆରମ୍ଭରୁ ସତର୍କତାର ସହ ଖେଳିବା ଫଳରେ ସ୍କୋରକୁ ଆଗକୁ ବଢିଥିଲା। ଉଭୟ ଅର୍ଦ୍ଧଶତକ ପୂରଣ କରିବା ପରେ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ। ଦଳର ସ୍କୋର ୩୦୦ ଟପିଥିଲା। ପ୍ରଥମେ ରାହୁଲ ନିଜର ଶତକ ପୂରଣ କରିଥିଲେ। ତା’ପରେ ବିରାଟ କୋହଲି ପୂରଣ କରିଥିଲେ ଶତକ। ଯାହାଫଳରେ ୫୦ ଓଭରରେ ମାତ୍ର ୨ ୱିକେଟ ହରାଇ ଭାରତ କରିଥିଲା ୩୫୬ ରନ। ବିରାଟ ଓ ରାହୁଲ ଅପରାଜିତ ଭାବେ ୧୨୨ ଓ ୧୧୧ ରନ କରିଥିଲେ।

ସୂଚନାଯୋଗ୍ୟ ଏହି ମ୍ୟାଚରେ ପାକିସ୍ତାନ ଟସ ଜିତିଥିଲେ ହେଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଦୁଇ ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ଉଭୟ ଅର୍ଦ୍ଧଶତକମାରି ଆଉଟ ହୋଇଥିଲେ। ଭାରତର ସ୍କୋର ୨ ୱିକେଟରେ ୧୪୭ ରନ ଥିବାବେଳେ ବର୍ଷା ଯୋଗୁଁ ଗତକାଲି ଖେଳ ହୋଇପାରି ନଥିଲା।

Leave a Reply

Your email address will not be published. Required fields are marked *

Back to top button