୬୦ବର୍ଷ ହେବ ଶୋଇନାହାନ୍ତି ଏହି ବ୍ୟକ୍ତି

ମଣିଷ ପାଇଁ ଦିନକୁ ୭ରୁ ୮ଘଣ୍ଟା ଶୋଇବା ଜରୁରୀ। ଚିନ୍ତାବିହୀନ ନିଦ ଶରୀରକୁ ସୁସ୍ଥ ରଖେ। ଦିନସାରା ଶାରୀରିକ ଓ ମାନସିକ ପରିଶ୍ରମ ଦ୍ଵାରା ଶରୀରରେ ଯେଉଁ କ୍ଷତି ହୋଇଥାଏ ନିଦରେ ଶୋଇଲା ପରେ ତାହାର ହୋଇଥାଏ ବୋଲି କୁହାଯାଇଛି। କିନ୍ତୁ ଏବେ ବିଚିତ୍ର କଥା ସାମ୍ନାକୁ ଆସିଛି। ଜଣେ ୮୦ ବର୍ଷିୟ ବ୍ୟକ୍ତି ଦୀର୍ଘ ୬୦ ବର୍ଷ ହେବ ଶୋଇ ନାହାନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଖବର ଅନୁଯାୟୀ ଭିଏତ୍‌ନାମର ଥାଇ ନ୍ୟୋକ୍‌ ନାମକ ବ୍ୟକ୍ତି ପିଲାଦିନେ ଜ୍ୱରରେ ପଡ଼ିଥିଲେ। ସେହିଦିନଠାରୁ ତାଙ୍କୁ ଶୋଇବାରେ ଅସୁବିଧା ହେଉଛି। ନ୍ୟୋକ୍‌ କେବେ ଶୋଇଥିବାର ତାଙ୍କ ପରିବାର କିମ୍ବା ପଡ଼ିଶା ଲୋକେ ଦେଖି ନାହାନ୍ତି। ତାଙ୍କର ଏ ଅବସ୍ଥା ଉପରେ ଅନେକ ବିଶେଷଜ୍ଞ ଡାକ୍ତର ପରୀକ୍ଷାନିରୀକ୍ଷା କରିଛନ୍ତି କିନ୍ତୁ କାରଣ କହିପାରୁ ନାହାନ୍ତି। ନ୍ୟୋକ୍‌ ଚିର-ନିଦ୍ରାହୀନତାରେ ଆକ୍ରାନ୍ତ ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। ହେଲେ ନଶୋଇବା ସତ୍ତ୍ୱେ ୮୦ ବର୍ଷିୟ ନ୍ୟୋକ୍‌ଙ୍କର କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଉପୁଜି ନାହିଁ। ଭିଏତ୍‌ନାମ ସଂଗ୍ରାମ ସମୟରେ ତାଙ୍କର ଗୋଟାଏ ହାତ ନଷ୍ଟ ହୋଇଯାଇଛି। ସେ କହନ୍ତି ସବୁଜ ଚା’ ଓ ହାଣ୍ଡିଆ ପିଇ ସେ ପ୍ରଚୁର ଶକ୍ତି ପାଆନ୍ତି।

ଅନ୍ୟପକ୍ଷରେ ୟୁଟ୍ୟୁବର୍‌ ଡ୍ରିଉ ବିନ୍‌ସ୍‌କି ନ୍ୟୋକ୍‌ଙ୍କ ସହିତ ଆଲୋଚନା କରିଥିଲେ। ସେ କହିଛନ୍ତି ଅନେକବର୍ଷ ତଳେ ମୁଁ ଥାଇ ନ୍ୟୋକ୍‌ଙ୍କ ବିଷୟରେ ଶୁଣିଥିଲି। କିନ୍ତୁ ସେ କେଉଁଠି ରହୁଛନ୍ତି ତାହା ଜାଣି ନ ଥିବାରୁ ତାଙ୍କୁ ଭେଟି ପାରୁ ନଥିଲି। ପରେ ଜାଣିବାକୁ ପାଇଲି ସେ ଦକ୍ଷିଣ ଭିଏତ୍‌ନାମର କ୍ଷୁଦ୍ର ଗ୍ରାମରେ ବାସ କରୁଛନ୍ତି। ମୁଁ ତାଙ୍କ ପାଖରେ ପହଞ୍ଚିଲି। ସେ ସତ କହୁଛନ୍ତି କି ନାହିଁ ଜାଣିବାକୁ ରାତି ସାରା ତାଙ୍କ ପାଖରେ ଉଜାଗର ରହିଲି। ପାହାନ୍ତା ୪ଟା ବେଳେ ସେ ବିଛଣାକୁ ଯାଇ ଶୋଇବାକୁ ଚେ‌ଷ୍ଟା କଲେ। କିନ୍ତୁ ତାଙ୍କ ଆଖିର ପଲକ ପଡ଼ିଲାନି। ୧୯୬୨ ମସିହାରୁ ସେ ଆଦୌ ଶୋଇ ନାହାନ୍ତି ବୋଲି କହୁଛନ୍ତି। କେତେକ କହୁଛନ୍ତି ଏହା ଯୁଦ୍ଧୋତ୍ତର ମାନସିକ ଚାପଜନିତ ବିଶୃଙ୍ଖଳା ଭଳି ମାନସିକ ସ୍ଵାସ୍ଥ୍ୟ ସମସ୍ୟା। ଆଉ କେତେକଙ୍କ ମତ ଏହା ଏକ ଦୁରାରୋଗ୍ୟ ବ୍ୟାଧି। କିନ୍ତୁ ଘଡ଼ିଏ ଶୋଇପଡ଼ିବାକୁ ନ୍ୟୋକ୍‌ ସବୁବେଳେ ଖୁବ୍‌ ବ୍ୟାକୁଳ ହେଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button