ଗଣତନ୍ତ୍ରକୁ ହତ୍ୟା ଓ ପଂଚାୟତିରାଜ ବ୍ୟବସ୍ଥା ଧ୍ୱଂସର ଷଡଯନ୍ତ୍ରକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ। ଶିକ୍ଷା, ବେକାରୀ ଓ ବେରୋଜଗାର, କୃଷି, ଜଳସେଚନ, ଦାଦନ ଓ ସ୍ୱାସ୍ଥ୍ୟ ସମେତ ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏସବୁକୁ ବିଜେପି ପ୍ରସଙ୍ଗ କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି।

ଖବର ଅନୁଯାୟୀ ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ଏହି ଅବସରରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପି ବିଧାୟକଗଣ ଉପସ୍ଥିତ ରହି ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସଂପର୍କରେ ସୁଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଛନ୍ତି ଓଡ଼ିଶାରେ ସରକାରୀ ଅର୍ଥରେ ସଚିବଙ୍କୁ ଜିଲ୍ଲା ଗସ୍ତ କରାଇ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ରାଜ୍ୟ ସରକାର ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିସାରିଲେଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ। ଶିକ୍ଷା, ବେକାରୀ ଓ ବେରୋଜଗାର, କୃଷି, ଜଳସେଚନ, ଦାଦନ ଓ ସ୍ୱାସ୍ଥ୍ୟ ସମେତ ସମସ୍ତ କ୍ଷେତ୍ରରେ ସରକାର ବିଫଳ। ଦାରିଦ୍ର୍ୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ନମ୍ବରରେ ରହିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ମିଥ୍ୟା ସ୍ୱପ୍ନ ଦେଖାଇ ଭଣ୍ଡାଉଛନ୍ତି। ସରକାରୀ ଅର୍ଥକୁ ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ଓ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା ଆଦି ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭାରେ ପ୍ରଶ୍ନ କରିବ।

ଏହି ବୈଠକରେ ବିଧାୟକ ପ୍ରଦୀପ୍ତ ନାଏକ, ବିଧାୟିକା କୁସୁମ ଟେଟେ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ସୁବାଷ ପାଣିଗ୍ରାହି, ଶଂକର ଓରାମ, ଡ.ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ନିତ୍ୟାନନ୍ଦ ଗଣ୍ଡ, ଜୟନ୍ତ ଷଡଙ୍ଗୀ, କେ.ନାରାୟଣ ରାଓ, ଡ.ବୁଧନ ମୁର୍ମୁ, ଇଂ.ଗଣେଷ ରାମ ଖୁଂଟିଆ, ସନାତନ ବିଜୁଳି, ପ୍ରକାଶ ସୋରେନ, ଭବାନି ଭୋଇ, ନବଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Back to top button