ମଉଜମସ୍ତି ଓ ମାଇଣ୍ଡଫ୍ରେସ୍ ପାଇଁ ବ୍ୟଗ୍ର ବିଜେଡି ନେତା-ମନ୍ତ୍ରୀ : ବିଜେପି

ଭୁବନେଶ୍ଵର : ରାଜ୍ୟରେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ବିଜେଡିର ନେତା ଆଖିବୁଜି ଦେଇଛନ୍ତି। ଏହି ଦଳର ସାଂସଦ, ବିଧାୟକ ଓ ମନ୍ତ୍ରୀ ମଉଜମସ୍ତି ଓ ମାଇଣ୍ଡଫ୍ରେସରେ ବ୍ୟଗ୍ର। ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ମଉଜମସ୍ତି କରୁଥିବା ବିଜେପି ଅଭିଯୋଗ କରିଛି।
ଖବର ଅନୁଯାୟୀ ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ କୋକୁଆଭୟ ସୃଷ୍ଟି ହୋଇଛି। ସେହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀ ନାୟକ ସଂକ୍ରମଣକୁ ରୋକିବା କିମ୍ବା ସମସ୍ୟାର ସମାଧାନ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି। ଏବେ ଜିଲ୍ଲାର ଶହ ଶହ ଲୋକେ ଏହି ଆକ୍ରାନ୍ତ ହୋଇ ଜୀବନମରଣ ସମସ୍ୟା ଭିତରେ ଗତି କରୁଛନ୍ତି। ଏପରି ସ୍ଥଳେ ମନ୍ତ୍ରୀ ଶ୍ରୀ ନାୟକ ଡନ୍ ଗୀତ ଗାଇ ନାଛୁଛନ୍ତି ତ କୱାଲି ଉପରେ ଟଙ୍କା ଉଡ଼ାଉଛନ୍ତି। ଆଉ କେତେବେଳେ ଡାକ୍ତର ଡିଗ୍ରୀ ନଥାଇ ଲୋକଙ୍କଠୁ ସିରିଞ୍ଜରେ ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।
ସେ କହିଲେ କେନ୍ଦ୍ରୀୟ ଟିମ୍ ସୁନ୍ଦରଗଡ଼ ଜିଲ୍ଲାକୁ ଆସି ସ୍କ୍ରବ ଟାଇଫସ ସ୍ଥିତିର ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହାକୁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଆଗ୍ରହ ନାହିଁ। ରାଜ୍ୟରେ ବାବୁମାନଙ୍କ ଶାସନ ଚାଲିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।