ଏଟିଏମ୍ ଭ୍ୟାନ୍ରୁ କୋଟିଏ ୭୦ ଲକ୍ଷ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ଵର : ଏଟିଏମ୍ ଭ୍ୟାନ୍ରୁ କୋଟିଏରୁ ଅଧିକ ଟଙ୍କା ଲୁଟ୍। କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ଥାନା ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି।
ଖବର ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଏକ ଟଙ୍କା ଭର୍ତ୍ତି ଭ୍ୟାନ୍ ଆଠଗଡ଼ରୁ ବାହାରି ଥିଲା। ଏହାର କର୍ମଚାରୀମାନେ ଗୋଡ଼ିଝରିଆ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମ୍ରେ ଟଙ୍କା ଭର୍ତ୍ତି କରିଥିଲେ। ପରେ ଭ୍ୟାନ୍ଟି ତିଗିରିଆ ଓ ନୂଆପାଟଣା ସମେତ ମୋଟ ୧୩ଟି ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିଲେ। ଗୋଡ଼ିଝରିଆ ଠାରୁ ନୂଆସଡ଼କ ରାସ୍ତାରେ ଥିବା ଏକ ରାଇସମିଲ ନିକଟରେ ଟଙ୍କା ଭର୍ତ୍ତି ଭ୍ୟାନ୍ ଉପରକୁ ଟେକା ମାଡ଼ ହେବାରୁ ଚାଳକ ଭ୍ୟାନ୍ର ଗତି କମ କରିଦେଇଥିଲେ। ଏହି ସମୟରେ ଭ୍ୟାନ୍ ସାମ୍ନାକୁ ଆସିଥିଲା ଏକ ନମ୍ବର ବିହୀନ ଧଳା ସ୍କୋର୍ପିଓ। ତା’ପରେ ଏକ ସ୍କୁଟି ଓ ୨ଟି ବାଇକ୍ରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ପହଞ୍ଚିଥିଲେ। ୩ଟି ଗାଡ଼ିରେ ଆସିଥିବା ୮ରୁ ୯ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭ୍ୟାନ୍ର ୪ଜଣ କର୍ମଚାରୀଙ୍କୁ ଭୟଭୀତ କରାଇ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଲୁଟ୍ ନେଇ ଚାଲିଯାଇଥିଲେ।
ଲୁଟ୍ ସଂପର୍କରେ ସୂଚନା ପାଇ କଟକ ଏସ୍ପି (ଗ୍ରାମାଞ୍ଚଳ) ମିହିର କୁମାର ପଣ୍ଡା, ଆଠଗଡ଼ ଏସ୍ଡିପିଓ ରବୀନ୍ଦ୍ର କୁମାାର ମଲ୍ଲିକ ଓ ତିଗିରିଆ ଆଇଆଇସି ଜ୍ଞାନ ରଂଜନ ସାମଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭ୍ୟାନ୍ର କର୍ମଚାରୀମାନଙ୍କୁ ପୋଲିସ ପଚରାଉଚରା କରିବା ପାରିପାର୍ଶ୍ଵିକ ପରିସ୍ଥିତି ଅନୁସାରେ ତଦନ୍ତ ଜାରି ରଖିଛି।


























