ନବୀନ ବାବୁଙ୍କ ସରକାରରେ ଅପାରଗ ପ୍ରଶାସକ ପୁରସ୍କୃତ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର : ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କର ସମ୍ପୂର୍ଣ୍ଣ ଇଛାଧୀନ। କିନ୍ତୁ ଗତ କିଛିଦିନ ଧରି ଶ୍ରୀ ମହାପାତ୍ର ଅଧ୍ୟକ୍ଷ ଥିବା ବିଦ୍ୟୁତ ନିୟାମକ ଆୟୋଗରେ ଦେଖାଯାଇଥିବା କିଛି ଅସଙ୍ଗତି ଏବେ ପ୍ରଶ୍ନବାଚୀ ଠିଆ କରାଇଛି। ରାଜ୍ୟ ସରକାର ଏ ବାବଦରେ ଜନସାଧାରଣଙ୍କ ନିକଟରେ ନିଜ ଉତ୍ତର ରଖିବା ଆବଶ୍ୟକ ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା।

ଖବର ଅନୁଯାୟୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ସୁନ୍ଦରଗଡ ଜିଲ୍ଲାର ତଲାବିରା ବିଦ୍ୟୁତ ପ୍ରକଳ୍ପରୁ ଓଡ଼ିଶା ୧୬ଶହ ମେଗାୱାଟ ଶସ୍ତା ଦରର ବିଜୁଳି ପାଇବା ପାଇଁ ହକଦାର। କିନ୍ତୁ ଓଡ଼ିଶାକୁ ମାତ୍ର ୮ଶହ ମେଗାୱାଟ ବିଦ୍ୟୁତ ପ୍ରଦାନ କରି ତାମିଲନାଡୁକୁ ୧୫ଶହ ମେଗାୱାଟ ବିଦ୍ୟୁତ ଯୋଗାଣ ସକାଶେ ରାଜ୍ୟ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି। ଏହା କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ୨୦୨୧କୁ ଉଲଘଂନ କରୁଛି। ବେଆଇନ ଚ୍ୟୁକ୍ତିକୁ ତର୍ଜମା, ନିୟନ୍ତ୍ରଣ ଓ ଆବଶ୍ୟକ ହେଲେ ରଦ୍ଦ କରିବାର କ୍ଷମତା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ରହିଛି। କେନ୍ଦ୍ରୀୟ ବିଦ୍ୟୁତ ଆଇନ ଧାରା ୮୬(୧)(ଖ) ଓ (ଘ)ରେ ଏହାର ବ୍ୟବସ୍ଥା ରହିଥିଲେ ହେଁ ଶ୍ରୀ ମହାପାତ୍ର ଏହି କ୍ଷମତାର ସଦୁପଯୋଗ କରିନାହାନ୍ତି। ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଇଛନ୍ତି। ୧୫ନିୟୁତ ଟନ୍ କୋଇଲା ଦହନର ପ୍ରଦୂଷଣରେ ଲୋକେ ଛଟପଟ ହେଉଥିବା ବେଳେ ରାଜ୍ୟର ଜନସାଧାରଣ ଶସ୍ତା ବିଜୁଳି ପାଇବାରୁ ବଂଚିତ ହୋଇଛନ୍ତି। ସେହି କାରଣରୁ ଶ୍ରୀ ମହାପାତ୍ରଙ୍କୁ ପୁରସ୍କୃତ କରାଗଲା କି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button