ମିଶନ ଶକ୍ତି ସଚିବଙ୍କ ଅଶାଳୀନ ଶବ୍ଦ ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ଵର : ଓଡ଼ିଶା ଏବେ ପ୍ରଶାସନିକ ମାଫିଆଙ୍କ କବଜାରେ ବୋଲି ଅଭିଯୋଗ କରିଛି ବିଜେପି। ଏହାଛଡା ମିଶନ ଶକ୍ତି ବିଭାଗର ସଚିବ ଅଶାଳୀନ ଶବ୍ଦ ପ୍ରୟୋଗ କରି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା।

ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଲେ ୨୩ ବର୍ଷର ଶାସନ କ୍ଷମତାରେ ରହିବା ପରେ ସରକାର ମାଫିଆମାନଙ୍କ ଅଧିନରେ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ବୈଠକରେ ବିଭାଗୀୟ ସଚିବଙ୍କ ଭାଷଣର ଏକ ଅଡିଓ ରେକର୍ଡିଂ ଶୁଣାଇ ସେ କହିଲେ ମିଶନ ଶକ୍ତିକୁ ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତିି। ମିଶନ ଶକ୍ତି ଅଧିକାରୀମାନଙ୍କ ବୈଠକରେ ବିଭାଗୀୟ ସଚିବ ‘ବୁଲସିଟ୍‌’, ‘ରବିସ୍‌’ ଭଳି ଅଶ୍ଳୀଳ ଓ ଅଶାଳୀନ ଶବ୍ଦ ପ୍ରୟୋଗ କରିବା ଓଡ଼ିଆଙ୍କ ପ୍ରତି ଅପମାନ। ସରକାରୀ ଦଳର ଏଜେଣ୍ଡାକୁ ସଠିକ ଭାବେ କାର୍ଯ୍ୟକାରୀ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ। ଲକ୍ଷ୍ମୀ ଯୋଜନା, ବିଏସକେୱାଇ ଯୋଜନାରେ ଏସଏଜି ମହିଳାଙ୍କୁ ଯୋଡ଼ିବା ପାଇଁ ଚିପ୍ ବେସ୍ ସ୍ମାର୍ଟକାର୍ଡ ଦିଆଯିବ। ଯେଉଁମାନେ ଭଲ କାମ କରିବେ, ସେମାନଙ୍କୁ ଦୁବାଇ, ସିଙ୍ଗାପୁର ବୁଲାଇବାକୁ ନିଆଯିବ ବୋଲି ସେ କହୁଥିବା ଶୁଣିବାକୁ ମିଳୁଛିି।

ଶ୍ରୀ ପଣ୍ଡା କହିଲେ ମିଶନଶକ୍ତି ଜରିଆରେ ଅନ୍ୟ ରାଜ୍ୟମାନଙ୍କରେ ୪୦ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବାବେଳେ ଓଡ଼ିଶାରେ ମାତ୍ର ୧୧ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଛି। ରାଜ୍ୟର ୩୧୪ ବ୍ଲକରୁ ୨୮୯ଟିରେ ମିଶନଶକ୍ତି ମହିଳା ବାସ୍ତବ ରୂପରେ ସାମିଲ ହୋଇନାହାନ୍ତି। ବ୍ଲକସ୍ତରରେ ମିଶନଶକ୍ତି ମା’ମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ପଞ୍ଜିକରଣ ଦିଗରେ ସାରା ଓଡ଼ିଶାରେ ମାତ୍ର ୭୦୦ଟି ଉଦ୍ୟୋଗ ପଞ୍ଜିକରଣ ହୋଇଛି। ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ମିଶନ ଶକ୍ତିକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଉପରେ ବିଜେଡି କହିଛି ବିଜେପି ଓଡ଼ିଶାର ମହିଳାମାନେ ସଶକ୍ତ ହୁଅନ୍ତୁ ଚାହୁଁନି। ତେଣୁ ଏଭଳି କଥା କହି ଷଡ଼ଯନ୍ତ୍ର କରୁଛି। ଯାହାର ଜବାବ ସେମାନଙ୍କୁ ଆଗାମୀ ଦିନରେ ମା’ମାନେ ଦେବେ।

Leave a Reply

Your email address will not be published. Required fields are marked *

Back to top button