ହରିୟାଣାରେ ସଂଘର୍ଷ : ପଥର ଓ ଗୁଳିମାଡ଼ରେ ଅନେକ ଆହତ

ନୂଆଦିଲ୍ଲୀ : ହରିୟାଣାରେ ହିଂସା। ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥର ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ୨୫୦୦ ଶ୍ରଦ୍ଧାଳୁ ମନ୍ଦିରରେ ଆଶ୍ରୟ ନେଇଛନ୍ତି।

ଖବର ଅନୁଯାୟୀ ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ବ୍ରଜମଣ୍ଡଳ ଯାତ୍ରା ଚାଲିଥିବା ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପଥରମାଡ଼ ଓ ପୋଡାଜଳା ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ମଧ୍ୟ ପଥର ମାଡ଼ କରିଛନ୍ତି। ହିଂସାକାଣ୍ଡରେ ୨୦ରୁ ଅଧିକ ଆହତ ହୋଇଛନ୍ତି। କେତେକ ସ୍ଥାନରେ ଲୋକମାନେ ଗୁଳିଚାଳନା କରିଛନ୍ତି। ସେଥିପାଇଁ ଗୁରୁଗ୍ରାମରୁ ସୋହନା ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ସେଠାରେ ୧୪୪ ଧାରା ଲାଗୁ ସହିତ ଇଣ୍ଟରନେଟକୁ ବନ୍ଦ କରାଯାଇଛି।

ଅନ୍ୟପକ୍ଷରେ ହିଂସାକାଣ୍ଡ ଜାରି ରହିଥିବାରୁ ଗୁରୁଗ୍ରାମ ନିକଟସ୍ଥ ନୁହ୍ଲାର ମହାଦେବ ମନ୍ଦିରରେ ପ୍ରାୟ ୨୫୦୦ ପୁରୁଷ, ମହିଳା ଓ ଶିଶୁ ଆଶ୍ରୟ ନେଇଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ବାହାରି ପାରିବେ ନାହିଁ। ପୋଲିସ ଲୋକମାନଙ୍କୁ ସେଠାରୁ ବାହାର କରିବା ପାଇଁ ବ୍ୟବସ୍ଥା କରିପାରିନାହିଁ। ଘଟଣା ପୂର୍ବରୁ ଏହି ଅଞ୍ଚଳର ବାତାବରଣ ଉତ୍ତେଜନାପୂର୍ଣ୍ଣ ଥିଲା। କୁହାଯାଉଛି ଶୋଭାଯାତ୍ରା ସମୟରେ କିଛି ଲୋକ ବିବାଦୀୟ ହିନ୍ଦୁବାଦୀ ନେତା ମୋନୁ ମାନେସର ଓ ତାଙ୍କ ସାଥୀମାନଙ୍କୁ ଦେଖିଥିଲେ। ପରେ ନୁହ ସହର ନିକଟରେ ଗୁରୁଗ୍ରାମ-ଅଲୱାର ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ସଂଘର୍ଷ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ବିବାଦୀୟ ବଜରଙ୍ଗ ଦଳ ନେତା ତଥା ଗୋରକ୍ଷକ ମୋନୁ ପାନେସର ଉପରେ ରାଜସ୍ଥାନରେ ଦୁଇ ଗୋଚାଲାଣକାରୀଙ୍କ ହତ୍ୟା ଆରୋପ ରହିଛି। କିଛିଦିନ ପୂର୍ବେ ସେ ଏକ ଭିଡିଓ ମାଧ୍ୟମରେ ଚ୍ୟାଲେଞ୍ଜ କରିଥିଲା ଶୋଭାଯାତ୍ରା ସମୟରେ ନୁହ ଜିଲ୍ଲାରେ ଉପସ୍ଥିତ ରହିବି।

Leave a Reply

Your email address will not be published. Required fields are marked *

Back to top button