ବଲାଙ୍ଗୀର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି

ବଲାଙ୍ଗୀର : ଦେଶ ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ହେଉଛି ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ। ସୋମବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ସାମଲ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସଇନ୍ତଲା ବ୍ଲକ ଗୁରୁମୁନି ଗାଁର ସହିଦ ଯବାନ ଥବିର ବୁଡ଼େକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ତାଙ୍କ ଘରୁ ଏକ କଳସରେ ମାଟି ସଂଗ୍ରହ କରିଥିଲେ।

ଏହି ଅବସରରେ ସହିଦଙ୍କ ପତ୍ନୀ ରୀନା ବୁଡ଼େକ ତାଙ୍କ ସ୍ଵାମୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ତୁଷ୍ଟାପାଲିରୁ ତାଙ୍କ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ନାମକରଣ ସହିଦଙ୍କ ନାମରେ କରିବାକୁ ଦାବି କରିଥିଲେ। ପରେ ବଡ଼ମାଳ ଗୋଳାବାରୁଦ କାରଖାନାକୁ ଯାଇ ସେଠାରେ ୱାର୍କର୍ସ ୟୁନିୟନ ପକ୍ଷରୁ ହୋଇଥିବା ସଭାରେ ଯୋଗଦେଇଥିଲେ। ପୁରୁଣା ପେନସନ ଯୋଜନା ଲାଗୁ କରିବା, କୋଭିଡ ପୂର୍ବରୁ ବଡ଼ମାଳ ରେଳଷ୍ଟେସନଠାରେ ରହୁଥିବା ଏକ୍ସପ୍ରେସ ଟ୍ରେନର ରହଣି ନେଇ ବିପିଏମ୍‌ଏସ୍‌ ସମ୍ପାଦକ ରବୀନ୍ଦ୍ର ମିଶ୍ର, ୱାର୍କର୍ସ ୟୁନିୟନ ସଭାପତି ହରିହର ସିଂହ, ସମ୍ପାଦକ ବିଶ୍ବମ୍ବର ତ୍ରିପାଠୀ, ପ୍ରମୁଖ ସାଂସଦଙ୍କୁ ଦାବିପତ୍ର ଦେଇଥିଲେ। ପରେ ଶ୍ରୀ ସାମଲ ବଲାଙ୍ଗୀର ପହଞ୍ଚି ଆଟଗାଁକୁ ଏକ ଶୋଭାଯାତ୍ରାରେ ଯାଇ ଆଟଗାଁ ଜମିଦାର ଧର୍ମସିଂ ମାନଧାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେଠାରୁ ମାଟି ସଂଗ୍ରହ କରିଥିଲେ। ପରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି. ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ସଦସ୍ୟ ଶବ୍ଦ ମିର୍ଦ୍ଧା ଓ ଅନିମା ଦାସ ପ୍ରମୁଖଙ୍କ ସହ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲଥିଲେ।

Leave a Reply

Your email address will not be published. Required fields are marked *

Back to top button