ସାଂସଦ ଦାନିଶ ଅଲୀ ବିଏସ୍‌ପିରୁ ନିଲମ୍ବିତ

ନୂଆଦିଲ୍ଲୀ : ବହୁଜନ ସମାଜବାଦୀ ପାର୍ଟି ବା ବିଏସ୍‌ପି ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ଲୋକସଭା ସାଂସଦ ଦାନିଶ ଅଲୀଙ୍କୁ ଦଳରୁ ନିଲମ୍ବନ କରିଛି।

ଖବର ଅନୁଯାୟୀ ଦାନିଶ ଅଲୀଙ୍କୁ ବିଏସ୍‌ପି ପଠାଯାଇଥିବା ଚିଠିରେ କୁହାଯାଇଛି ଦଳର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧରେ ଯାଇ କୌଣସି ବୟାନ ଦିଅନ୍ତୁ ନାହିଁ କିମ୍ବା କାମ କରନ୍ତୁ ନାହିଁ।ଏ ସମ୍ପର୍କରେ ଆପଣଙ୍କୁ ଅନେକ ଥର ମୌଖିକ ଭାବେ କୁହାଯାଇଥିଲା। ଏହା ସତ୍ତ୍ୱେ ଆପଣ ଲଗାତାର ଦଳ ବିରୋଧରେ ଯାଇ ସେହି ସବୁ କାମ କରୁଛନ୍ତି।

୨୦୧୮ରେ ଆପଣ ଜେଡି (ଏସ୍) ନେତା ଏଚ୍‌ଡି ଦେବଗୌଡ଼ାଙ୍କ ସହିତ କାମ କରୁଥିଲେ। ସେତେବେଳେ ଉଭୟ ବିଏସ୍‌ପି ଓ ଜେଡି (ଏସ୍‌) ମିଶି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଦେବଗୌଡ଼ା କହିବାରୁ କର୍ଣ୍ଣାଟକ ନିର୍ବାଚନ ପରେ ଆପଣଙ୍କୁ ଅମରୋହାରୁ ଟିକେଟ୍ ଦିଆଯାଇଥିଲା। ଦେବଗୌଡ଼ା ଏହା ମଧ୍ୟ କହିଥିଲେ ଆପଣ ବିଏସ୍‌ପି ପାଇଁ କାମ କରିବେ। ସେହି ଆଧାରରେ ଆପଣଙ୍କୁ ଟିକେଟ୍ ଦିଆଯାଇଥିଲା। ଅମରୋହାରୁ ବିଜୟୀ ହେବା ସତ୍ତ୍ୱେ ଆପଣ ପ୍ରତିଶ୍ରୁତି ଭୁଲି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଲେ। ତେଣୁ ଦଳ ଆପଣଙ୍କୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସଂସଦରେ କଂଗ୍ରେସକୁ ସମର୍ଥନ କରିବାରୁ ଦାନିଶ ଅଲୀଙ୍କୁ ବିଏସ୍‌ପି ନିଲମ୍ବନ କରିଛି। କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଦାନିଶ ଅଲୀଙ୍କୁ ସମର୍ଥନ କରୁଛି। ସେଥିପାଇଁ ବିଏସ୍‌ପି ମୁଖ୍ୟ ମାୟାବତୀ ବହୁବାର ତାଙ୍କୁ ତାଗିଦ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button