ବାହାନଗାରେ ୨ଟି ଟ୍ରେନ୍‌ ଦୁର୍ଘଟଣା : ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ମଧ୍ୟରେ ଆଜି ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ଅବଗତ ହେଲା ‌ପରେ ସେ ଶ୍ଵତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) କଣ୍ଟ୍ରୋଲ ରୁମ୍‌କୁ ଯାଇ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହା ଏକ ଦୁଃଖଦାୟକ ଘଟଣା ବୋଲି ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଉଦ୍ଧାର କାର୍ଯ୍ୟ ସବୁଠାରୁ ବଡ଼ କଥା। ଆହତ ଓ ଗୁରୁତର ଲୋକଙ୍କୁ ଡାକ୍ତରଖାନାକୁ ନେଇ ସେମାନଙ୍କର ଜୀବନ ରକ୍ଷା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି (ଶନିବାର) ସକାଳୁ ଘଟଣାସ୍ଥଳକୁ ଯିବି ବୋଲି ସୂଚନା ଦେଇଛନ୍ତି।

ବାହାନଗା ନିକଟରେ ଦୁଇଟି ଏକ୍ସପ୍ରେସ୍‌ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରିପୋର୍ଟ ଲେଖାଯିବା ବେଳକୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ‌ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ ପହଞ୍ଚି ଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ପାଇଁ ୧୦୦ଟି ଆମ୍ବୁଲାନ୍ସ ଓ ୫୦ଟି ବସ୍‌ ନିୟୋଜିତ ଅଛନ୍ତି। ସେହିପରି ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବାହିନୀ ଏବଂ ପୁଲିସ ମୁତୟନ ଅଛନ୍ତି। ବାଲେଶ୍ଵର, କଟକ ବଡ଼ମେଡିକାଲ ବ୍ୟତୀତ ବାଲେଶ୍ଵର ଠାରୁ ଆରମ୍ଭ କରି ଭୁବନେଶ୍ଵର ପର୍ଯ୍ୟନ୍ତ ଥିବା ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାକୁ ପ୍ରସ୍ତୁତ ରଖାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button