ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟି ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଶୋକ ପ୍ରକାଶ କରାଯିବା ସହିତ ଦିବଂଗତ ଆତ୍ମାର ସଦ୍‌ଗତି କାମନା ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।

କାର୍ଯ୍ୟକାରୀ କମିଟିରେ ଗୃହୀତ ରାଜନୈତିକ ପ୍ରସ୍ତାବରେ ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ସଚେତନ ହୋଇ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଥିଲା। ଏଥିସହ ଜାତିଭିତ୍ତିକ ଜନଗଣନା, ଆଦିବାସୀ ଜମି ଅଧିକାରର ସୁରକ୍ଷା ପାଇଁ ନଭେମ୍ବର-୧୬ ରେ କ୍ୟାବିନେଟ ଅନୁମୋଦିତ ସଂଶୋଧନ ନିଷ୍ପତ୍ତିର ତୁରନ୍ତ ପ୍ରତ୍ୟାହାର, ଶ୍ରୀ ଜଗନ୍ନାଥଙ୍କ ଚାରିଦ୍ୱାର ଓ ରତ୍ନଭଣ୍ଡାର ଭିତର ଦ୍ୱାର ଖୋଲିବା, ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ କ୍ରମବର୍ଦ୍ଧିଷ୍ନୁ ମହିଳା ଅତ୍ୟାଚାର ଓ ଦୁଷ୍କର୍ମ ମହିଳାମାନଙ୍କର ରାଜନୈତିକ ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରୀ ବିଫଳତାକୁ ନିନ୍ଦା କରିବା ସହ ଅବଳମ୍ବେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦିଆଯାଇଥିଲା।

ବିଜେଡ଼ି ସରକାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରସ୍ତାବରେ ଚିଟ୍‌ଫଣ୍ଡ ଦୁର୍ନୀତି, ଡାଲି ଦୁର୍ନୀତି, ପାଣି ଦୁର୍ନୀତି ସହ ସରକାରଙ୍କର ଏକାନ୍ତ ଅନୁଗତ ଅଧିକାରୀ ମାନଙ୍କ ଆଖିବୁଜା ଲୁଟ ଓ ବେଦାନ୍ତ ବିଶ୍ୱ ବିଦ୍ୟାଳୟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ ପ୍ରତି ଅବମାନନା ଘଟଣାରେ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦୋଷୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ବିଶେଷ କରି ବଲାଙ୍ଗିରର ତହସିଲ କୋର୍ଟରେ ରୁଜୁ ହୋଇଥିବା ଓଏଲଆର କେସ ନଂ ୮/୧୯୭୪ ମାମଲାରେ ୪୦ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି ବୋଲି ଠୋସ ପ୍ରମାଣ ଥିଲେ ମଧ୍ୟ ରାଜ୍ୟ ସରକାର ବିଧାନସଭାରେ ବାରମ୍ବାର ଏ ପ୍ରସଙ୍ଗ ଉଠାଯାଉଥିଲେ ମଧ୍ୟ ଉତର ଦେଉ ନାହାନ୍ତି କିମ୍ବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହାଠାରୁ ବଳି ବଡ଼ ଭ୍ରଷ୍ଟାଚାରର ଉଦାହରଣ କଣ ଥାଇପାରେ ବୋଲି ବୈଠକରେ ଆଲୋଚନା ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

କୃଷି କୃଷକ ପ୍ରସ୍ତାବରେ ଚାଷୀମାନଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ପ୍ରାପ୍ୟ ପ୍ରଦାନ ନିମିତ ଏମଏସ୍‌ପି ଉପରେ ରାଜ୍ୟ ସରକାରଙ୍କ ତରଫରୁ ବୋନସ ପ୍ରଦାନ ଓ ଭାଗଚାଷୀ ଆଇନ ପ୍ରଣୟନ ପାଇଁ ସରକାରଙ୍କ ଠାରେ ଦାବି କରାଯାଇଥିଲା। ଏଥିସହ କଲେଜ ମାନଙ୍କରେ ନିୟମିତ ନିର୍ବାଚନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କୁ ଓ ୨୦୨୩ ରେ ସଂଶୋଧିତ ଜମି ଅଧିକାର ଆଇନ ୨୦୧୩ ଓ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ର ପୁନଃ ସଂଶୋଧନ କରି ଆଦିବାସୀ ମାନଙ୍କ ଅଧିକାରକୁ ସାବସ୍ତ୍ୟ କରିବାପାଇଁ କେନ୍ଦ୍ର ମୋଦି ସରକାରଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହାଛଡା
ନିକଟ ଭବିଷ୍ୟତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରି ରାଜଧାନୀ ଭୁବନେଶ୍ୱରରେ ବିଶାଳ ପରିବର୍ତ୍ତନ ସମାବେଶ କରାଯିବ ବୋଲି ପିସିସି ସଭାପତି ଘୋଷଣା କରିଥିଲେ।

ଏହି କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଗତ କରିଥିଲେ। ରାଜନୈତିକ ପ୍ରସ୍ତାବ ଗଣେଶ୍ୱର ବେହେରା ଆଗତ କରିଥିବା ବେଳେ ସୁରେଶ ମହାପାତ୍ର ସମର୍ଥନ କରିଥିଲେ । ବିଜେଡ଼ି ସରକାରର ଦୁର୍ନୀତି ପ୍ରସ୍ତାବ ନକୁଳ ନାୟକ ଆଗତ କରିଥିବା ବେଳେ ବିଜୟଲକ୍ଷ୍ମୀ ସାହୁ ସମର୍ଥନ କରିଥିଲେ। ଓଡ଼ିଶାରେ କୃଷି ଓ କୃଷକ ପ୍ରସ୍ତାବ ଲଲାଟେନ୍ଦୁ ମହାପାତ୍ର ଆଗତ କରିଥିବା ବେଳେ ରଶ୍ମି ମହାପାତ୍ର ସମର୍ଥନ କରିଥିଲେ। ଶ୍ରମିକ ଓ କର୍ମଚାରୀଙ୍କ ପ୍ରସ୍ତାବକୁ ଅର୍ଚ୍ଚନା ନନ୍ଦୀ ଆଗତ କରିଥିବା ବେଳେ ଅମିତା ବିଶ୍ୱାଳ ସମର୍ଥନ କରିଥିଲେ। ଅନୁରୂପ ଭାବରେ ଅର୍ଥନୈତିକ ପ୍ରସ୍ତାବ ବିଭୁତି ଭୂଷଣ ମିଶ୍ର ଆଗତ କରିଥିବା ବେଳେ ସସ୍ମିତା ବେହେରା ସମର୍ଥନ କରିଥିଲେ। ପ୍ରସ୍ତାବ ଗୁଡିକ ଉପରେ ହୋଇଥିବା ଆଲୋଚନାରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ବିଜୟ ପଟ୍ଟନାୟକ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ଜିଆଉଲ ହକ, ସି.ଏସ୍‌. ରାଜନ ଏକ୍କା, ଅମ୍ବିକା ଭଟ, ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ମଧୁସ୍ମିତା ସେଠୀ, ଦେବାଶିଷ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ମନୋଜ ମଞ୍ଜରୀ ଦେବୀ, ଆଲୋକ ଲେଙ୍କା, ବିଧୁଭୂଷଣ ତ୍ରିପାଠୀ, ହରଦିପ ସିଂ, ସୁବ୍ରତ ମହାପାତ୍ର ଓ ୟାସିର ନୱାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button