କଂଗ୍ରେସରେ ଯୋଗଦେଲେ ଭାରତୀୟ ହକିର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି

ଭୁବନେଶ୍ୱର : ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରବୋଧଙ୍କ ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରସନ୍ନ କୁମାର ଚଂପତି ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

ସୋମବାର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ ନାମରେ ସେପ୍ଟେମ୍ବର ୨୫ରୁ ଅକଟୋବର ୧୫ ଯାଏ ଅଭିଯାନ ଚାଲିବ। ପଦଯାତ୍ରା କରି ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବ।

ସୂଚନାଯୋଗ୍ୟ ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ନେଇଥିଲେ ପ୍ରବୋଧ। ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ। ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶ ବାଡ଼ି ଧରି ହକି ଅଭ୍ୟାସ କରୁଥିଲେ। ସେମାନଙ୍କ ପାଇଁ ଗାଁ ଦାଣ୍ଡ ଥିଲା ହକି ପଡ଼ିଆ। ପରବର୍ତ୍ତୀ ସମୟରେ ଇଗ୍ନେଶ ଓ ପ୍ରବୋଧ ଭାରତୀୟ ହକି ଦଳରେ ପ୍ରମୁଖ ସ୍ଥାନ ଦଖଲ କରି ନେଇଥିଲେ।

ଏକ ସମୟରେ ପ୍ରବୋଧ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ୨୦୦୭ରେ ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ଏସିଆ କପ୍ ଜିତିଥିଲା। ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ। ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ୱେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଥିଲେ।

Leave a Reply

Your email address will not be published. Required fields are marked *

Back to top button