ବନ୍ଧୁତ୍ୱରୁ ଆରମ୍ଭ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ : ହାଇକୋର୍ଟ

କଟକ : ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସଂପର୍କ ଦୁଷ୍କର୍ମ ବିବେଚିତ ହେବନି। ଯଦି ଏ ସଂପର୍କରେ କୌଣସି ଅଭିଯୋଗ ଆସେ ତାହା ଗ୍ରହଣୀୟ ହେବ ନାହିଁ। ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଖବର ଅନୁଯାୟୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଦାୟର ଏକ ମାମଲାକୁ ଖାରଜ କରିବାକୁ ମନୋରଞ୍ଜନ ଦାସ ଆବେଦନ କରିଥିଲେ। ମନୋରଞ୍ଜନ ଦାସଙ୍କର ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତା ବିବାହ ପ୍ରତିଶୃତି ପର୍ଯ୍ୟନ୍ତ ଯାଇଥିଲା। ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବନ୍ଧୁତା ରହିବା ସହ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା। ମନୋରଞ୍ଜନ ସମୃକ୍ତ ମହିଳାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପୂର୍ବ ବିବାହ ବଳବତ୍ତର ରହିଥିବାରୁ ଅପେକ୍ଷା କର। ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ବିବାହ କରିବା ସମ୍ଭବ ବୋଲି ମହିଳା ଜଣଙ୍କ କହିଥିଲେ। ପରବର୍ତ୍ତୀ ସମୟରେ କୌଣସି କାରଣରୁ ମନୋରଞ୍ଜନ ବିବାହ କରିବାକୁ ରାଜି ହେଲେନି। ଏହା ବିରୋଧରେ ମହିଳା ଜଣକ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମ୍ପ୍ଲେନ କେସ ଦାୟର କରିଥିଲେ। ମାମଲାର ବିଚାର କରି ମହିଳାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ କରିବାକୁ ଲକ୍ଷ୍ମୀସାଗର ଥାନାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ସହ ମନୋରଞ୍ଜନ ତାଙ୍କଠାରୁ ପର୍ଯ୍ୟାୟ କ୍ରମେ ୭ ଲକ୍ଷ ଟଙ୍କା ନେଇଛନ୍ତି। ପରେ ବିବାହ କରିବା ପରିବର୍ତ୍ତେ ଧମକ ଚମକ ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସେ ଅଭିଯୋଗ କରିଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ ମନୋରଞ୍ଜନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ଜଷ୍ଟିସ ଆର. କେ. ପଟ୍ଟନାୟକ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button