୨୦ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ ଇଡି ଅଧିକାରୀ

ନୂଆଦିଲ୍ଲୀ : ତାମିଲନାଡୁର ଦିଣ୍ଡିଗୁଲରେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଧିକାରୀ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ଅଙ୍କିତ ତିୱାରୀ ନାମକ ଇଡିର ଅଧିକାରୀଙ୍କୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ଗିରଫ ପରେ ଡିଣ୍ଡିଗୁଲ ଜିଲ୍ଲା ଭିଜିଲାନ୍‌ସ ଓ ଦୁର୍ନୀତି ନିବାରଣ (ଡିଭିଏସି) ପକ୍ଷରୁ ଇଡିର ମଦୁରାଇ କାର୍ଯ୍ୟାଳୟ ଓ ଅଙ୍କିତଙ୍କ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଏହି ମାମଲାରେ ମଦୁରାଇ ଓ ଚେନ୍ନାଇର ଅଧିକ ଅଧିକାରୀଙ୍କ ସମ୍ପୃକ୍ତି ରହିଛି। ଅଙ୍କିତ ତିୱାରୀ ଅନେକ ଲୋକଙ୍କୁ ବ୍ଲାକମେଲ୍‌ କରି କୋଟି କୋଟି ଟଙ୍କାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ସେ ଇଡିର ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଲାଞ୍ଚ ଅର୍ଥ ବଣ୍ଟନ କରୁଥିଲେ। ଏନେଇ କିଛି କାଗଜପତ୍ର ଜବତ କରାଯାଇଛି। ତେଣୁ ଏହି ମାମଲାରେ ମଦୁରାଇ ଓ ଚେନ୍ନାଇ ଇଡି କାର୍ଯ୍ୟାଳୟର ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି।

ଆହୁରି ଜଣାପଡିଛି ଅକ୍ଟୋବର ୨୯ ତାରିଖରେ ଅଙ୍କିତ ତିୱାରୀ ଡିଣ୍ଡିଗୁଲର ଜଣେ ସରକାରୀ କର୍ମଚାରୀଙ୍କୁ ଡିଭିଏସିର ଏକ ମାମଲାରେ ଯୋଗାଯୋଗ କରି କହିଥିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଇଡିକୁ ଏହି ମାମଲାର ତଦନ୍ତ କରିବାକୁ କହିଛି। ସେଥିପାଇଁ ଅକ୍ଟୋବର ୩୦ରେ ମଦୁରାଇସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ କହିଥିଲେ। ସେ ପହଞ୍ଚିବା ପରେ ତଦନ୍ତ ଶେଷ କରିବାକୁ ୩ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। ପରେ ସେ କହିଥିଲେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି ସେମାନେ ୫୧ ଲକ୍ଷ ଟଙ୍କା ନେବାକୁ ରାଜି ହୋଇଛନ୍ତି। ନଭେମ୍ବର ପହିଲାରେ ସରକାରୀ କର୍ମଚାରୀ ଇଡି ଅଧିକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପ୍ରଥମ କିସ୍ତି ଦେଇଥିଲେ। ହେଲେ ଇଡି ଅଧିକାରୀ କହିଥିଲେ ପୂରା ଟଙ୍କା ଦିଅ। କାରଣ ଏହି ରାଶି ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ପଡିବ। ଟଙ୍କା ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଧମକ ଦେଇଥିଲେ। ଅଙ୍କିତଙ୍କ ଉପରେ ସନ୍ଦେହ କରି ସରକାରୀ କର୍ମଚାରୀ ନଭେମ୍ବର ୩୦ରେ ଡିଭିଏସିର ଡିଣ୍ଡିଗୁଲ ୟୁନିଟରେ ଅଭିଯୋଗ କରିଥିଲେ। ଡିସେମ୍ବର ୧ ତାରିଖରେ ଅଙ୍କିତ ତିୱାରୀ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କାର ଦ୍ୱିତୀୟ କିସ୍ତି ଗ୍ରହଣ କରୁଥିବା ବେଳେ ଧରା ପଡ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button