ଏଣିକି ଓଡ଼ିଶାରେ ଅଧ୍ୟାପକ ହେବେ ଆଇଏଏସ୍‌

ଭୁବନେଶ୍ୱର : ରାଜ୍ୟରେ ଅଣପ୍ରଶାସନିକ ସେବାରୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ନିମନ୍ତେ ଯୋଗ୍ୟ ଅଫିସରଙ୍କ ଅଭାବ ପରିଲକ୍ଷିତ ହେଉଛି। ବାରମ୍ବାର ରିମାଇଣ୍ଡର ପଠାଇବା ସତ୍ତ୍ୱେ ପ୍ରଶାସନିକ ବିଭାଗଗୁଡ଼ିକ ଆଇଏଏସ୍ ପଦବୀ ପାଇଁ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ନାଁ ସୁପାରିଶ କରିବାରେ ବିଫଳ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପ୍ରଥମଥର ପାଇଁ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରର ଅଫିସର ବା ଅଧ୍ୟାପକମାନଙ୍କୁ ଅଣପ୍ରଶାସନିକ ସେବା ବର୍ଗରେ ସାମିଲ କରି ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେବା ନିମନ୍ତେ ସୁପାରିସ୍ କରିଛି।

ବିଭାଗ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତି ଅନୁଯାୟୀ ଅଣପ୍ରଶାସନିକ ସେବା ତାଲିକାରେ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରକୁ ସାମିଲ କରାଯାଇନାହିଁ। ଯାହାଫଳରେ ଗ୍ରୁପ-ଏ ବର୍ଗର ଅଫିସରମାନେ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପଦବୀକୁ ମନୋନୟନ ହେବାରୁ ବଂଚିତ ହେଉଛନ୍ତି। ଓଡ଼ିଶା ଶିକ୍ଷା ସେବା (ଓଇଏସ) କ୍ୟାଡ଼ରରେ ଅଧ୍ୟାପକମାନେ ଗ୍ରୁପ୍‌-ବି ଅଫିସର ଭାବେ ଚାକିରି ଆରମ୍ଭ କରି ୮ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପଦୋନ୍ନତି ପାଇଥାନ୍ତି। ଆଉ ସେମାନଙ୍କ ଦରମା ହାର ୯୩୦୦-୩୪୮୦୦(ଗ୍ରେଡ୍ ପେ-୫୪୦୦ଟଙ୍କା), ଯାହା ଓଏଏସ୍ କ୍ୟାଡ଼ର ଡେପୁଟି କଲେକ୍ଟର ପାହ୍ୟା ସହ ସମାନ। ତେଣୁ ଅଣପ୍ରଶାସନିକ ସେବା ବର୍ଗରେ ଗ୍ରୁପ୍ -ଏ ବର୍ଗର ଅଧ୍ୟାପକମାନଙ୍କୁ ସାମିଲ କରି ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପାଇଁ ମନୋନୟନ ବେଳେ ସେମାନଙ୍କ ନାଁକୁ ସୁପାରିଶ ପାଇଁ ସାମିଲ କରାଯାଉ ବୋଲି ଉଚ୍ଚଶିକ୍ଷା ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *

Back to top button