ବୋହୂର ପରକୀୟା ପ୍ରୀତି ପାଇଁ ବଳିପଡିଲା ଶାଶୂ : ଅଭିଯୁକ୍ତା ଗିରଫ

ଭୁବନେଶ୍ୱର : ପରକୀୟା ପ୍ରୀତି ପାଇଁ ଶାଶୂକୁ ରାସ୍ତାରୁ ହଟାଇଲା ବୋହୂ। ଘଟଣା ଜଣାପଡିବା ପରେ ବୋହୂ ବୈଶାଖୀ ପଲେଇଙ୍କୁ ଭରତପୁର ଥାନା ପୋଲିସ୍ ଗିରଫ କରିଛି।

ଖବର ଅନୁଯାୟୀ ଭୁବନେଶ୍ୱରର ଖଣ୍ଡଗିରି ବାରିରେ ବୃଦ୍ଧା ମଦା ପଲେଇଙ୍କ ହତ୍ୟାକାଣ୍ଡର ସପ୍ତାହକ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ବୋହୂର ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିବାରୁ ପୋଲିସ ଆଜି ବୋହୂ ବୈଶାଖୀ ପଲେଇଙ୍କୁ ଗିରଫ କରିଛି।

ଗତ ୧୫ ତାରିଖରେ ଘର ଭିତରେ ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଥିଲା। ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ହୋଇ ଘରକୁ ଫେରିବା ପରେ ପୋଲିସ ତାଙ୍କୁ ବାନ୍ଧିଛି। ପୋଲିସର ସୂଚନା ଜୁଲାଇ ପହିଲାରେ ମଦା ପଲେଇଙ୍କୁ ପୈତୃକ ଗ୍ରାମ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ରେ ଆକ୍ରମଣ ହୋଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ବ୍ରେନ ହାମରେଜ ହେବାରୁ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତର କହିଥିଲେ ଧୀରେ ଧୀରେ ସୁସ୍ଥ ହେବେ। ତେଣୁ ତାଙ୍କୁ ଘରକୁ ନିଆଯାଇଥିଲା। ହେଲେ ଶାଶୁ ଯେଉଁଦିନ ସୁସ୍ଥ ହୋଇ ପାଟି ଫିଟାଇବାରୁ ବୋହୂ ବୈଶାଖୀ ଭାବିନେଲେ ଅନୈତିକ ସପର୍କର ଗୁମର ଫିଟିଯିବ। ଏହି ଆଶଙ୍କାକରି ସେ ଏକ ଧାରୁଆ ଅସ୍ତ୍ରରେ ଶାଶୁଙ୍କ ବେକ କାଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ଘଟାଇବା ପରେ ବୈଶାଖୀ କାନ୍ଥରେ ମୁଣ୍ଡ ପିଟି ଓ ତଣ୍ଟିରେ ଓଢ଼ଣୀ ଗୁଡ଼ାଇ ଶ୍ୱାସରୁଦ୍ଧ ହୋଇ ଗୁରୁତର ହେବା ନାଟକ କରିଥିଲେ। ତାଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଥିଲା। ମାତ୍ର ବୈଶାଖୀଙ୍କ ନାଟକରେ ପୋଲିସର ସନ୍ଦେହ ହେବାରୁ ତାଙ୍କୁ ପଚରାଉଚରା କରିଥିଲା। ଥରକୁ ଥର ବୟାନ ବଦଳାଇବାରୁ ପୋଲିସର ସନ୍ଦେହ ଦୃଢୀଭୂତ ହୋଇଥିଲା ଓ ଶେଷରେ ସତ ସାମ୍ନାକୁ ଆସିଥିଲା। ଆହୁରି ଜଣାପଡ଼ିଛି, ଗାଁରେ ମଦା ପଲେଇଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ବୈଶାଖୀଙ୍କ ହାତ ରହିଥିଲା।

Leave a Reply

Your email address will not be published. Required fields are marked *

Back to top button