ଜି-୨୦ : ଭାରତ ପ୍ରସ୍ତୁତ ଘୋଷଣାପତ୍ରରେ ସବୁ ରାଷ୍ଟ୍ରର ସହମତି
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନର ଅଧକ୍ଷତା କରୁଥିବା ଭାରତକୁ ବଡ଼ ସଫଳତା ମିଳିଛି। ଭାରତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି।
ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ମୁଁ ଗୋଟିଏ ଭଲ ଖବର ପାଇଛି। ଆମେ ଟିମର କଠିନ ପରିଶ୍ରମ ଯୋଗୁ ନୂଆଦିଲ୍ଲୀ ଜି୨୦ ଲିଡର୍ସ ସମ୍ମିଳନୀ ଘୋଷଣାପତ୍ରରେ ସବୁ ରାଷ୍ଟ୍ର ଏକମତ ହୋଇଛନ୍ତି। ଏହାକୁ ସମସ୍ତେ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଁ ମୋର ସେରପା, ମନ୍ତ୍ରୀଗଣଙ୍କୁ ଶୁଭେଚ୍ଛା ଜଣାଉଛି। ସେମାନେ ଏଥିପାଇଁ କଠିନ ପରିଶ୍ରମ କରି ଏହାକୁ ସମ୍ଭବ କରିପାରିଛନ୍ତି।
ଘୋଷଣାପତ୍ରରେ ରହିଥିବା ବିଷୟ ଗୁଡିକ ମଧ୍ୟରେ ରହିଛି ଶକ୍ତିଶାଳୀ, ନିରନ୍ତର, ସମତୁଲ ଓ ସମାବେଶୀ ଅଭିବୃଦ୍ଧି। ନିରନ୍ତର ବିକାଶ ଲକ୍ଷ୍ୟର ଗତିକୁ ତ୍ୱରାନ୍ୱିତ କରିବା। ଉତ୍ତମ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି। ଏକବିଂଶ ଶତାବ୍ଦୀ ପାଇଁ ମଲ୍ଟିଲାଟେରାଲ ଇନଷ୍ଟିଚ୍ୟୁସନ୍ସ ଓ ବହୁପକ୍ଷବାଦକୁ ପୁର୍ନଜୀବିତ କରିବା। ଘୋଷଣାପତ୍ରରେ ସବୁ ଜି-୨୦ ରାଷ୍ଟ୍ର ଏକମତ ହୋଇଥିବା ଜି-୨୦ ସେରପା ଅମିତାଭ କାନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜି-୨୦ ଘୋଷଣାପତ୍ରକୁ ୧୦୦% ସହମତି ଆଧାରରେ ମଞ୍ଜୁରୀ ମିଳିଛି। ସମସ୍ତ ପ୍ରକାରର ବିକାଶମୂଳ ଓ ଜିଓ ପଲଟିକାଲ ପ୍ରସଙ୍ଗରେ ସବୁ ରାଷ୍ଟ୍ର ଏକମତ ହୋଇଛନ୍ତି।