ପୋଷ୍ୟ ସନ୍ତାନ ଯାଆଁଳା ଭଉଣୀଙ୍କୁ ସିଗାରେଟ ଚେଙ୍କ ଦେଉଥିଲେ ଡାକ୍ତର ଦମ୍ପତ୍ତି

ଗୌହାଟି : ଯାଆଁଳା ଭଉଣୀ (ଶିଶୁକନ୍ୟା)ଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣକରି ଅକଥନୀୟ ନିର୍ଯାତନା ଦେଉଥିଲେ ଡାକ୍ତର ଦମ୍ପତ୍ତି। ଗୋଟିଏ ଶିଶୁର ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ମଧ୍ୟ ଦେଇଥିଲେ ନୃଶଂସ ପଟି-ପତ୍ନୀ।

ଖବର ଅନୁଯାୟୀ ପୋଷ୍ୟ ସନ୍ତାନ ଦୁଇ ଶିଶୁକନ୍ୟା (୩ ବର୍ଷ)ଙ୍କୁ ଅକଥନୀୟ ନିର୍ଯାତନା ପରି ଅଭାବନୀୟ ଘଟଣା ଆସାମର ଗୌହାଟିରେ ଘଟିଛି। ପୋଲିସ ଅଭିଯୁକ୍ତ ଡାକ୍ତର ଦମ୍ପତ୍ତି ସମେତ ଜଣେ ଘରୋଇ ସହାୟକଙ୍କୁ ଗିରଫ କରିଛି। ଏହି ଦମ୍ପତ୍ତି ହେଲେ ଡା. ୱାଲିୟୁଲ ଇସଲାମ ଓ ପତ୍ନୀ ଡା. ସଙ୍ଗୀତା ଦତ୍ତ। ସେମାନେ ଯାଆଁଳା ଦୁଇ ଭଉଣୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଘରର ଚତୁର୍ଥ ମହଲାରେ ରଖି ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ଏପରିକି ଶିଶୁଙ୍କୁ ଟାଣ ଖରାରେ ଛାତରେ ବାନ୍ଧିକି ରଖାଯାଉଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଶିଶୁଙ୍କ କରୁଣ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସ ଓ ଚାଇଲଡ ଲାଇନ୍‌କୁ ଖବର ଦେଇଥିଲେ।

ସମସ୍ତ ସୂଚନା ପାଇବା ପରେ ପୋଲିସ ଓ ଚାଇଲଡ ଲାଇନ୍‌ କର୍ମଚାରୀ ଡା. ୱାଲିୟୁଲ ଇସଲାମଙ୍କ ଘରେ ଚଢ଼ାଉ କରି ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେମାନେ ଯାହା ଦେଖିଥିଲେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା। ଦୁଇ ଶିଶୁଙ୍କ ସାରା ଶରୀରରେ ଥିଲା ମାଡ଼ ଚିହ୍ନ। ଜଣଙ୍କର ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କର ଚିହ୍ନ ଦେଖାଯାଇଥିଲା। ଏହି ଅଭିଯୋଗରେ ପୋଲିସ ଡାକ୍ତର ଦମ୍ପତ୍ତିଙ୍କ ସମେତ ଘରୋଇ ସହାୟକଙ୍କୁ ଗିରଫକରି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗୌହାଟି ସରକାରୀ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ଦୁଇ ଶିଶୁଙ୍କର ଚିକିତ୍ସା ଚାଲିଛି।

ଅନ୍ୟପକ୍ଷରେ ସମଗ୍ର ରାଜ୍ୟରେ ଡାକ୍ତର ଦମ୍ପତ୍ତିଙ୍କ କରନାମାକୁ ନେଇ ଚର୍ଚ୍ଚା ହେବାରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଡାକ୍ତର ଦମ୍ପତ୍ତି କାହିଁକି ଦୁଇ ଶିଶୁଙ୍କୁ ଏପରି ନିର୍ଯାତନା ଦେଉଥିଲେ ତାହା ଜଣାପଡିନି। ସେମାନେ ମୁହଁ ଖୋଲୁ ନଥିବାରୁ ପୋଲିସ ଶିଶୁଦ୍ଵୟଙ୍କ ବାପା-ମା’ଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button