ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଷ୍ଟାଫ ସିଲେକସନ କମିଶନ ନିଯୁକ୍ତି ଦୁର୍ନୀତି, ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି ନେଇ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ। ଏଥିସହ ଯୁକ୍ତଦୁଇ ଡ୍ରପଆଉଟ ଓ ଏକ୍ସ ରେଗୁଲାର ଛାତ୍ରଙ୍କ ମୂଲ୍ୟାୟନରେ ହୋଇଥିବା ପକ୍ଷପାତିତାକୁ ବିରୋଧ କରିଥିଲା।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ ପ୍ରଥମେ ଦିବଂଗତ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କର ଅମର ଆତ୍ମା ପ୍ରତି ସମ୍ମାନ ଜଣାଇ ତାଙ୍କର ସ୍ମୃତିଚାରଣ କରି ବିକ୍ଷୋଭ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସେ କହିଥିଲେ ନବୀନ ସରକାର ଦୀର୍ଘ ୨୧ ବର୍ଷ ଧରି ସରକାରୀ ଚାକିରୀକୁ ବିକ୍ରି କରିିଚାଲିଛନ୍ତି। ନିର୍ବାଚନୀ ଇସ୍ତାହାରରେ ବର୍ଷକୁ ୨ଲକ୍ଷ ଚାକିରୀ ଦେବେ ବୋଲି ଲେଖିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହେଲାନାହିଁ। ବିଧାନସଭା ଭଳି ପବିତ୍ର ଗୃହର ମର୍ଯ୍ୟାଦାକୁ ହାନି କରି ଜଣେ ମନ୍ତ୍ରୀ କହୁଛନ୍ତି ଷ୍ଟାଫ ସିଲେକସନ କମିଶନରେ ଦୁର୍ନୀତି ହୋଇନାହିଁ । ଷ୍ଟାଫସିଲେକସନ ଦୁର୍ନୀତିର ସମସ୍ତ ପାପକୁ ଜଣେ କିରାଣୀ ମୁଣ୍ଡରେ ଲଦିଦେଇ ସରକାର ନିଜକୁ ସ୍ୱଚ୍ଛବୋଲି କହୁଛନ୍ତି । ଏ ସମସ୍ତ ପାପକୁ ଲୁଚେଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚକ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାହାଙ୍ଗା ଥାନା ମନ୍ତ୍ରୀଙ୍କ ନାମକୁ ଚାର୍ଜସିଟ୍‌ରୁ ହଟେଇଛନ୍ତି। ମୃତ କୁଳମଣି ବରାଳଙ୍କ ପୁତ୍ର ସାଲେପୁର ଜେଏମଏଫସି କୋର୍ଟରେ ଆବେଦନ କରିବା ପରେ ମାନ୍ୟବର କୋର୍ଟ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ମାନ୍ୟବର କୋର୍ଟଙ୍କୁ ଛାତ୍ର କଂଗ୍ରେସ କୃତଜ୍ଞତା ଜଣାଇଛିି। ଏ ରାଜ୍ୟର ଛାତ୍ରଛାତ୍ରୀ ଓ ବେକାର ଯୁବକଯୁବତୀ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏବଂ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଓ ଗିରଫ ନକରିବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଥିଲେ।

ଅଖିଳ ଭାରତ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡି଼ଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା କହିଥିଲେ ଷ୍ଟାଫସିଲେକସନ ଦୁର୍ନୀତି ପ୍ରସଙ୍ଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ ତୃଣମୂଳ ସ୍ତରରେ ପଂହଚିଛି। ୩୦ଟି ଜିଲ୍ଳାର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଛାତ୍ର କଂଗ୍ରେସ ଆନ୍ଦୋଳନ କରିଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗରେ ଛାତ୍ର କଂଗ୍ରେସ ଦସ୍ତଖତ ଅଭିଯାନ କରିଥିଲା। ନବୀନ ସରକାର ଅମଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ଅଜୟ କୁମାର ସାହୁ, ମନ୍ମଥ ରାଉତରାୟ, ମନୋଜ ବିଶ୍ୱାଳ, ମନୋଜ ରାଉତ, ଆଲୋକ ଲେଙ୍କା, ରାଜୀବ ପଟ୍ଟନାୟକ, ରଞ୍ଜିତ ପାତ୍ର, ସ୍ୱାଗତ କର, ନିହାର ବେହେରା, ସଂକୁନା କହଁର, ମହମ୍ମଦ ଗୁଲଫାମ, ରଞ୍ଜିତ ସେନାପତି, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ସୁନିଲ କୁମାର ମାଟିଆ, ବଳାରାମ ନନ୍ଦ, ସାଗର ପଟ୍ଟନାୟକ, କାର୍ତିକେଶ୍ୱର କାଣ୍ଡି, ଅବିନାଶା ନନ୍ଦ, ବାବୁ ଜେନା, ନିରଞ୍ଜନ ଦାସ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଆଦିତ୍ୟ ପ୍ରିତମ ଦାସ, ଅଭିରାମ ଗୌଡ, ବିକାଶ ପଶୁପାଳକ, ଅଙ୍କିତ ସାହୁ, ଆଜାତ ପତି, ସୁନିଲ ନାୟକ, ନବିତା କୌର, ଲିପିକା ପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ପ୍ରିତମ ପରିଜା, ଲୁଲୁ ପାଣିଗ୍ରାହୀ, ସୌମ୍ୟ ପଟ୍ଟନାୟକ, ଅଜିତ ବାରିକ, ସନ୍ଦିପ ରାଉତ, ପ୍ରତ୍ୟୁଷ ପ୍ରଧାନ, ସୁନିଲ ସାହୁ, ଫୈଜଲ ଅହମ୍ମଦ, ଅରମାନ ଜେନା, ଅଖିଳେଷ ଯାଦବ, ନିତେଶ ବେହେରା, ସୁଭାଷ ପ୍ରଧାନ, ସୌମ୍ୟ ରଞ୍ଜନ ଜେନା, ବିଶ୍ୱଭୂଷଣ ମହାପାତ୍ର, ବିଭୁତି ମହାପାତ୍ର, ସାହରୁଖ ମହମ୍ମଦ, ଅମିତ କୁଅଁର, ଦୀପକ ମହାନ୍ତି, ସୌମ୍ୟ ବରାଳ, ସନ୍ଦିପ ରାଉତ, ସୂର୍ଯ୍ୟକାନ୍ତ ସାହୁ, ସୌରଭ ପଟ୍ଟନାୟକ, ବଳରାମ ନନ୍ଦ, ଅନନ୍ତ କୁମାର ଦାସ, ଆଦିତ୍ୟ କହଁର, ଶୁଭମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବିକ୍ଷୋଭ ପରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ପ୍ରଭାରୀ ଅନୁଲେଖା ବୋଷାଙ୍କ ନେତୃତ୍ୱରେ ବିଧାନସଭା ଆଡ଼କୁ ଛାତ୍ରକଂଗ୍ରେସ କର୍ମୀମାନେ ଘେରାଉ ପାଇଁ ମାଡ଼ିଚାଲିଥିଲେ । ଅପର ପିଏମଜି ଠାରେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମକର୍ତାଙ୍କ ମଧ୍ୟରେ ଯୋରଦାର ଲଢ଼େଇ ହେଇଥିଲା । ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପୋଲିସ ଗିରଫ କରିଥିଲା ଏବଂ ସାରା ରାଜ୍ୟର ୭ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଛାତ୍ର କଂଗ୍ରେସ କର୍ମୀ ଓ ନେତା ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button