ବିବାହ ପାଇଁ ଜିଦ୍‌ କରିବାରୁ ବିବାହିତା ପ୍ରେମିକାକୁ ହତ୍ୟା

ବ୍ରହ୍ମପୁର : ହିଂଜିଳିକାଟୁ ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀ ଗାଁର ଶ୍ମଶାନରୁ ପୋତାଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏବେ ଜଣାପଡିଛି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ସାନଖେମୁଣ୍ଡି ଅଞ୍ଚଳର ବିବାହିତା ଓ ପରେ ଛାଡ଼ପତ୍ର ନେଇଥିବା ବର୍ଷାରାଣୀ ‌ପୁରୋହିତ। ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକ ପ୍ରଶାନ୍ତ ବେହେରା ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତର ଦୁଇଭାଇ ଗୁରୁଣ୍ଠି ଗ୍ରାମର କୁମ୍ଭାରସାହିର ସନ୍ତୋଷ ବେହେରା ଓ ସୁଶାନ୍ତ ବେହେରାଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଗଣମାଧ୍ୟମକୁ କହିଛନ୍ତି ପାଟପୁର ଜୟନଗର ଗ୍ରାମର ବର୍ଷା ପଳାସପୁର ଗ୍ରାମର ସନ୍ତୋଷ ତ୍ରିପାଠୀଙ୍କୁ ବିବାହ କରିଥିଲେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଯୋଗୁଁ କୋର୍ଟରେ ଛାଡ଼ପତ୍ର ଆବେଦନ କରାଯାଇଥିଲା। ପରେ ବର୍ଷା ଶେରଗଡ଼ରେ ହୋଟେଲ ମ୍ୟାନେଜମେଣ୍ଟ୍‌ ସାରି ହାଇଦ୍ରାବାଦରେ କାମ କରୁଥିଲେ। ସେଠାରେ ପ୍ରଶାନ୍ତ ନାମକ ଯୁବକ ସହିତ ତାଙ୍କର ପରିଚୟ ହୋଇଥିଲା। କିଛିଦିନ ପରେ ଦୁହେଁ ଏକାଠି ରହିଥିଲେ। ଏ ବିଷୟରେ ବର୍ଷାଙ୍କ ଭାଇ ପରିବାରବର୍ଗଙ୍କୁ ଜଣାଇଥିଲେ। ବର୍ଷା ବାହା ହେବାକୁ କହିବାରୁ ପ୍ରଶାନ୍ତ କହିଥିଲେ ବିବାହକୁ ଘର ଲୋକ ଗ୍ରହଣ କରିବେନି। ବିବାହ ପାଇଁ ମନା କରିବାରୁ ବର୍ଷା ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେମାନଙ୍କୁ ଡାକି କାଉନ୍‌ସେଲିଂ କରିଥିଲା।

ଗତ ୩୦ ତାରିଖରେ ହିଂଜିଳିକାଟୁ ଥାନା ପୋଲିସ ମହୁଲପଲ୍ଲୀ ଗାଁ ଶ୍ମଶାନରୁ ପୋତା ଯାଇଥିବା ଅଚିହ୍ନା ମୃତଦେହ ଜବତ କରିଥିଲା। ତଦନ୍ତ ପରେ ବର୍ଷାଙ୍କ ମୃତଦେହ ବୋଲି ଭାଇ ବିକାଶ ପୁରୋହିତ ଚିହ୍ନଟ କରିଥିଲେ। ଘଟଣା ଦିନ ପ୍ରଶାନ୍ତ ବର୍ଷାଙ୍କୁ ନେଇ ଗୋପାଳପୁର ବୁଲିବାକୁ ଯାଇଥିଲା। ସେଠାରୁ ଫେରିବା ପରେ ବଡ଼କୁଶସ୍ଥଳୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବର୍ଷାଙ୍କ ମୁଣ୍ଡକୁ ହାତୁଡ଼ିରେ ଆଘାତ କରି ହତ୍ୟା କରିଥିଲା। ପ୍ରମାଣ ନଷ୍ଟ କରିବାକୁ ପ୍ରଶାନ୍ତ ତା’ର ଦୁଇ ଭାଇଙ୍କ ସହାୟତାରେ ମୃତଦେହ ପୋତି ଦେଇଥିଲା। ଏହି ଘଟଣାରେ ଫେରାର୍‌ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତକୁ ପୋଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ସେ ଧରାପଡ଼ିବା ପରେ ପୂରା ଘଟଣା ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Back to top button