ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କରେ ପାଣ୍ଡିଆନ୍ ଯାହା କହିଛନ୍ତି ତାହା ସତ : ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଭୁବନେଶ୍ଵର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଯାହା କହିଛନ୍ତି ତାହା ସତ କଥା। କାରଣ ସେ ତିନି ଚାରିବର୍ଷ ହେବ ସେ ନିରବ ରହିଥିବା ବେଳେ ଜନସାଧାରଣଙ୍କ କୌଣସି ସମସ୍ୟାର ସମାଧାନ କରି ନାହାନ୍ତି। ଏପରିକି ବିଧାୟକ ପାଣ୍ଠି ମଧ୍ୟ ଦେଇ ନାହାନ୍ତି। ହେଲେ ଏବେ ଲୋକଙ୍କ ପାଇଁ କାମ କରିବା କଥା କହୁଛନ୍ତି। ଯାହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ।
ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ପଣ୍ଡିଆନ ବିଭିନ୍ନ ଜିଲା ବୁଲୁଛନ୍ତି ଜନସାଧାରଣଙ୍କୁ ଭେଟି ସମସ୍ୟା ବୁଝୁଛନ୍ତି। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା କଥା। କିନ୍ତୁ ଶୁକ୍ରବାର ପ୍ରଦୀପ ପାଣିଗ୍ରାହୀ ତାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଛନ୍ତି। ଭଲ କାମକୁ ଯେହେତୁ ପ୍ରଦୀପ ପାଣିଗ୍ରାହୀ ବିରୋଧ କଲେ ତେଣୁ ଲୋକଙ୍କ ଆକ୍ରୋଶର ପ୍ରତିଫଳନ ଦେଖିବାକୁ ମିଳିଲା। ସତ କଥା କହିଲେ କିଛି ଅସୁବିଧା ନାହିଁ। ସିଏ ଯିଏ ହୁଅନ୍ତୁ ନା କାହିଁକି ସତ କହିଲେ ଅସୁବିଧା କିଛି ନାହିଁ। ଯେଉଁଟା ନ୍ୟାୟ ଓ ଲୋକ ଜାଣିବା କଥା ତାକୁ ପାଣ୍ଡିଆନ କହିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଜନ ଅସନ୍ତୋଷ ଥିଲା। ତେଣୁ ଯେଉଁ ବିରୋଧ ହୋଇଛି ତାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ହୋଇଛି। ଯାହା ଘଟିଲା ତାହା ଜନ ଅସନ୍ତୋଷର ପ୍ରତିଫଳନ। ପୋଲିସ ଆଗକୁ କ’ଣ ପଦକ୍ଷେପ ନେବ ସେଇଟା ପୋଲିସ ଉପରେ ନିର୍ଭର କରେ।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ ଶୁକ୍ରବାର ବ୍ରହ୍ମପୁରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଗଞ୍ଜାମରେ ଯେତେବେଳେ କୋଭିଡ-୧୯ର ପ୍ରକୋପ ବଢୁଥିଲା ସେହି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ଭାବୀ ସମୁଦିଙ୍କ ସହ ବୁଲି ମଉଜ ମଜଲିସ କରୁଥିଲେ। ତା’ପରେ କିନ୍ତୁ ଚିଠି ଲେଖିଲେ ଓ ମନ୍ତବ୍ୟ ଦେଲେ ଆମକୁ କେହି ପଚାରୁ ନାହାନ୍ତି।