ଦୁର୍ଗାପୂଜା ପାଇଁ ଜାରିହେଲା ଗାଇଡଲାଇନ୍

ଭୁବନେଶ୍ୱର : ଦୁର୍ଗାପୂଜାରେ ସ୍ୱାଭାବିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ ସହ କୋଭିଡ ନିୟମ ମଧ୍ୟରେ ମାଙ୍କ ଦର୍ଶନ ଲାଗି ଅନୁମତି ମାଗିଛନ୍ତି ରାଜ୍ୟର ବିଭିନ୍ନ ଦୁର୍ଗାପୂଜା ସମିତି । ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି ଭୁବନେଶ୍ୱର ଭସାଣି ଉତ୍ସବ ସମିତି । ପୂଜା କମିଟି ଗୁଡିକର ଦାବି, ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ।  ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି । ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।

କିଛି ଦିନ ପୂର୍ବେ ଗଣେଶ ପୂଜାକୁ ନେଇ ବିଏମସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। ବିଏମ୍‌ସି ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ। ପୂଜା ପାଇଁ କମିଶନରେଟ ପୁଲିସ୍‌ର ଅନୁମତି ନେବାକୁ ପଡ଼ିବ।ମଣ୍ଡପ/ପେଣ୍ଡାଲର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ପଟ ବି ବନ୍ଦ ରହିବ, କିନ୍ତୁ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିବ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ/ପେଣ୍ଡାଲ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାବାଦ୍‌ ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ। ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରୁ ଅଧିକ ହୋଇପାରିବ ନାହିଁ।  ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ମଣ୍ଡପରେ ଏକାଠି ହେବାକୁ ମନା କରାଯାଇଛି। ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ। ବିସର୍ଜନ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯିବ।  ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ଅନୁମତି ମିଳିଛି । କୌଣସି ପ୍ରକାର ପ୍ରସାଦ ସେବନ କିମ୍ବା ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ମାସରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପୂଜା ପାଇଁ ଗାଇଡଲାଇନ୍‌ ଜାରି ହୋଇଥିବା ବେଳେ ଏହାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇଥିଲା। ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଥିଲା। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ  ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଥିଲା । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button