ଆହୁରି ୩ ଦିନ ଜଳିବ ଓଡିଶା

ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଚାରିଆଡେ ଅଗ୍ନି ବର୍ଷୁଛି। ପ୍ରବଳ ତାତି ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏହି ପରିସ୍ଥିତି ଆହୁରି ତିନିଦିନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବନୁମାନ କରିଛି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ଯୋଗୁ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି। ଏହି ପରିସ୍ଥିତି ୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ଵାଭାବିକଠାରୁ ୬ ରୁ ୭ ଡିଗ୍ରି ଅଧିକ ରହିବାର ମଧ୍ୟ ସମ୍ଭାବନା ରହିଛି।

ସେହିପରି ପାଣିପାଗ ଵିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି କାଳବୈଶାଖୀର ବିଶେଷ ପ୍ରଭାବ ନଥିବା ଓ ପ୍ରାକ ମୌସୁମୀ ବର୍ଷାର ଅଭାବରୁ ଜୁନ ମାସରେ ତାପମାତ୍ରା ଅଧିକ ରହୁଛି। ଆରବ ସାଗରର ବାତ୍ୟା ‘ବିପର୍ଯ୍ୟୟ’ ଯଦି ଉପକୂଳ ମୁହାଁ ହୁଏ ତେବେ କିଛି ଜଳୀୟବାଷ୍ପ ଓଡ଼ିଶା ଆଡକୁ ଆସିବାର ସମ୍ଭାବନା ରହିଛି। ଏପରି ହେଲେ ରାଜ୍ୟର ତାପମାତ୍ରା ସାମାନ୍ୟ ପରିବର୍ତ୍ତନ ହୋଇପାରେ। ସେ କହିଛନ୍ତି ଉପକୂଳରେ ଦିନବେଳା ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଥିବାରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି। ତାମିଲନାଡୁ ଓ କର୍ଣ୍ଣାଟକ ଭଳି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଉଛି। ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ କରାଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button