ଭିଏତନାମକୁ ଆଇଏନଏସ୍ କୃପାଣ ଉପହାର ଦେବ ଭାରତ

ନୂଆଦିଲ୍ଲୀ : ଭାରତ ସ୍ୱଦେଶୀ ନିର୍ମିତ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ଆଇଏନଏସ କୃପାଣ ଭିଏତନାମର ନୌସେନାକୁ ଉପହାର ଦେବ। ଦୁଇଦିନିଆ ଭାରତ ଗସ୍ତରେ ଆସିଥିବାବେଳେ ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ ୱାନ ଜିଆଙ୍ଗଙ୍କ ସହ ଆଲୋଚନା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଘୋଷଣା କରିଛନ୍ତି। ଚୀନ୍‌ର ପ୍ରଭାବ ବଢୁଥିବାରୁ ଦୁଇଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଖବର ଅନୁଯାୟୀ ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ପ୍ରଭାବ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭିଏତନାମ ନୌସେନାର ଦକ୍ଷତା ବୃଦ୍ଧି ଦିଗରେ ସ୍ୱଦେଶୀ ନିର୍ମିତ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ଆଇଏନଏସ କୃପାଣ ଏକ ମାଇଲଖୁଣ୍ଟ ହେବ। ଏହି ଅବସରରେ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ୧୯୯୧ ମସିହାରେ ଆଇଏନଏସ କୃପାଣକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା ୧୩୫୦ ଟନ ଓଜନ ବିଶିଷ୍ଟ ଏହି ଜାହାଜ ସମୁଦ୍ରରେ ଘଣ୍ଟା ପ୍ରତି ୪୬ କିଲୋମିଟର ବେଗରେ ଯାତ୍ରା କରିପାରେ। ଏଥିରେ ୩୦ ଏମଏମ କ୍ଲୋଜ ରେଞ୍ଜ ବନ୍ଧୁକ ସହ କ୍ଷେପଣାସ୍ତ୍ର ରହିଛି।

Leave a Reply

Your email address will not be published. Required fields are marked *

Back to top button