ସରକାରଙ୍କ ବିନା ଅନୁମତିରେ ତାମିଲନାଡୁରେ ତଦନ୍ତ କରିପାରିବନି ସିବିଆଇ

ନୂଆଦିଲ୍ଲୀ : ଏଣିକି ବିନା ଅନୁମତିରେ ସିବିଆଇ ତାମିଲନାଡୁରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ। ଏଥିପାଇଁ ସିବିଆଇକୁ ପ୍ରଥମେ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ। କାରଣ ସିବିଆଇ ସହ ଥିବା ସାଧାରଣ ସହମତି ନିୟମକୁ ତାମିଲନାଡୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ। ଏଥିରେ ଯୋଡ଼ି ହୋଇଛି ତାମିଲନାଡୁ।

ସୂଚନାଯୋଗ୍ୟ ନଭେମ୍ବର ୧୮ରେ ୨୦୨୦ରେ ସୁପ୍ରିମକୋର୍ଟ କହିଥିଲେ ରାଜ୍ୟଗୁଡ଼ିକର ବିନା ଅନୁମତିରେ ସିବିଆଇ ନିଜ ଇଚ୍ଛାରେ କୌଣସି ତଦନ୍ତ କରିପାରିବ ନାହିଁ। ରାଜ୍ୟର ସହମତି ପ୍ରକାଶ ନକଲେ ସିବିଆଇ କୌଣସି ପ୍ରକାରରରେ ତଦନ୍ତ ପାଇଁ ଅଧିକାର ପାଇବ ନାହିଁ। ସଂଘୀୟ ବ୍ୟବସ୍ଥାରେ ଡିଏସପିଇ ଆକ୍ଟର ଧାରା ୬ରେ ସମାନ କଥା ଦର୍ଶାଯାଇଛି। ଧାରା ୬ ଅନୁଯାୟୀ ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ କୌଣସି ମାମଲାର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇପାରିବେ।

ଏହାବ୍ୟତୀତ ସିବିଆଇ କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କର ଅନୁମତି ମଧ୍ୟ ମାଗିପାରିବ। ସିବିଆଇ ତଦନ୍ତ ପାଇଁ ସରକାରଙ୍କ ସହିତ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ। ଏହି ସମୟରେ ସହମତି ଧାରାକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ କରି ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button