୩୦ କୋଟି ଜବତ ଜଗଦୀଶ ନାଏକଙ୍କ ପାଇଁ ଅଡୁଆ ବଢାଇବ

ଭୁବନେଶ୍ଵର : ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଆଜି ଆୟକର ବିଭାଗ ଚଢ଼ାଉ କରିଛି। ଜବତ ହୋଇଛି ନଗଦ ୩୦କୋଟି ଟଙ୍କା। ଏତେ ପରିମାଣର ନଗଦ ଟଙ୍କା କିପରି ତାଙ୍କ ପାଖକୁ ଆସିଲା ଓ ଟଙ୍କା ବ୍ୟାଙ୍କରେ ନରଖି କାହିଁକି ଘରେ ରଖିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ କୁହାଯାଉଛି ୨୦୦୯ ମସିହାରେ ଜଗଦୀଶ ରାଜନଗର ବିଧାନସଭା ଆସନରୁ ବିଜେଡି ଟିକେଟ୍ ପାଇଁ ଲବି କରି ନିରାଶ ହୋଇଥିଲେ। ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୀତିକ ପତନ ପରେ ତାଙ୍କ ଆଶା ମଉଳି ଯାଇଥିଲା। କିନ୍ତୁ ୨୦୧୯ରେ କେନ୍ଦ୍ରାପଡ଼ା ଆସନରୁ ବିଜେଡିର ଲୋକସଭା ଟିକେଟ୍ ପାଇଁ ଲବିକରି ବିଫଳ ହୋଇଥିଲେ ହେଁ ତୃତୀୟ ମହଲା ସହ ସମ୍ପର୍କ ଯୋଡିବାକୁ ସକ୍ଷମ ହୋଇଥିଲେ। କେବେଳ ସେତିକି ନୁହେଁ ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ତାଙ୍କୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଓ କେତେକ ପଂଚାୟତର ଦାୟିତ୍ୱ ଦେଇଥିଲା।

ସେହିପରି ଶ୍ରୀ ନାଏକଙ୍କ ଦ୍ୱାରା ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଏକ ସ୍କୁଲର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ। ଏହାଛଡା ମୁଖ୍ୟମନ୍ତ୍ରଙ୍କ ଦୁବାଇ ଓ ଜାପାନ ଗସ୍ତ ସମୟରେ ମଧ୍ୟ ଜଗଦୀଶଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା। ସେଥିପାଇଁ ଦଳୀୟ ମହଲରେ ଚର୍ଚ୍ଚା ହେଉଛି ୨୦୨୪ରେ ସେ ହେବେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ। ଏବେ ତାଙ୍କ ପାଇଁ ଅଡୁଆ ହୋଇଛି ୩୦ କୋଟି ଟଙ୍କା ଜବତ। ଏହା ଉପରେ ଆଇଟି ବିଭାଗ ଖୋଳତାଡ଼ କରୁଥିବା ବେଳେ ଡିଏନ ଗ୍ରୁପ୍ ସହ ଜଡ଼ିତ ନିର୍ଦ୍ଦେଶକ ଓ ପଦାଧିକାରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବାର ସମ୍ଭାବନା ରହିଛି। ଏହା ହେଲେ ଅନେକ ଗୁମର ଖୋଲିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button