ଡବଲ୍ ଡୋଜ୍ ଟିକା ନେଇଥିବା ୨୦ ପ୍ରତିଶତଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇନି

ଭୁବନେଶ୍ୱର : କରୋନା ଡବଲ୍ ଡୋଜ୍ ଟିକା ନେଲା ପରେ ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି। ଏହା କହିଛନ୍ତି ଆଇଏଲ୍ ଏସ୍ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା।

ସେ କହିଛନ୍ତି ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬ଶହ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା। ସେଥିରୁ ୪୨୫ ଡେ଼ଲ୍ଟା ଭାରିଏଣ୍ଟ ଓ ବାକି ସାମ୍ପଲ ଅନ୍ୟ ଭାରିଏଣ୍ଟର। ତେବେ କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି। ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର। ଜାନୁଆରିରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସାମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି।

ଡକ୍ଟର ପରିଡ଼ା କହିଲେ ଡବଲ୍ ଡୋଜ୍ ଟିକା ନେଲା ପରେ ମଧ୍ୟ ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି। ତେଣୁ ବୁଷ୍ଟର କିମ୍ବା ତୃତୀୟ ଡୋଜ ଦେବା ନେଇ ଅନୁଧ୍ୟାନ ଚାଲିଛି। ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ ଏହାକୁ ନେଇ ବିଶ୍ଳେଷଣ କରାଯାଉଛି। ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ। ସେ କହିଲେ ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ତେଣୁ ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ। ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି। ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି। ତା’ର ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି। ଏବେର ପରିସ୍ଥିତିକୁ ଦେଖିଲେ କେରଳ ଓ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି। ମହାରାଷ୍ଟ୍ରରେ ଟିକେ ବଢିଛି। ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି। ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ।

ରାଜଧାନୀ ଭୁବନେଶ୍ୱରରେ ଅଧିକ ଲୋକଙ୍କ ସମାଗମ ହେଉଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ଅଧିକ ରହୁଛି। ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା। ଏବେ ୨୦୦ରୁ ୩୦୦ ଭିତରେ ରହୁଛି। ହଜାରରୁ ୩୦୦କୁ କମ ସମୟରେ ଖସିଥାଏ। କିନ୍ତୁ ୩୦୦ରୁ କମ୍ ହେବାକୁ ଅଧିକ ସମୟ ଲାଗେ। ଦିଲ୍ଲୀରେ ଏଭଳି ସ୍ଥିତି ରହିଥିଲା। ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published.

Back to top button