ପାଣ୍ଡିଆନଙ୍କ ସଭାରେ ୫ଟି ପୋଷାକଧାରୀ ଯୁବକ : ପ୍ରଶ୍ନ ଉଠାଇଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ଵର : ୫ଟି ସଚିବଙ୍କ ଯାଜପୁର ଗସ୍ତରେ ସଭା ଜଗିଥିଲେ ୫ଟି ଲେଖଥିବା ଧଳା ପୋଷାକଧାରୀ। ଏହି ଯୁବକଙ୍କ ହାତରେ ଥିଲା ଠେଙ୍ଗା। ସେମାନେ ଲୋକଙ୍କ ପ୍ରତିବାଦର ସ୍ୱରକୁ ଚାପି ଦେବାପାଇଁ ଉଦ୍ୟମ କରି ପିଟିବାକୁ ପଛାଇ ନଥିବା ଅଭିଯୋଗ ଉଠିଛି। କିନ୍ତୁ ପୋଲିସ ସେଠାରେ ନୀରବଦ୍ରଷ୍ଟା ସାଜିବାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା କରାଯାଇଛି।

ଖବର ଅନୁଯାୟୀ ମଙ୍ଗଳବାର ପାଣ୍ଡିଆନଙ୍କ ଯାଜପୁର ଗସ୍ତକୁ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ୫ଟି ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି ନିନ୍ଦା କରିଛି। ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ କହିଛନ୍ତି ଲୋକଙ୍କ ପ୍ରତିବାଦର ସ୍ୱର ଚାପି ଦେବାକୁ ବିଜେଡିର ଗୁଣ୍ଡାବାହିନୀ କାମ କରୁଛନ୍ତି। ସମ୍ବିଧାନରେ ଅହିଂସା ଶବ୍ଦକୁ ସ୍ଥାନିତ କରାଯାଉ ବୋଲି ଦାବି କରୁଥିବା ଦଳର ଗୁଣ୍ଡାବାହିନୀ ପୋଲିସ୍‌ ଉପସ୍ଥିତିରେ ଯେପରି କାମ କଲେ ତାହା ସମଗ୍ର ଓଡ଼ିଶା ଦେଖିଛି।

ସେହିପରି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ୫ଟି ଲେଖାଥିବା ଟି’ସାର୍ଟ ପିନ୍ଧି କିଛି ଲୋକ ଯେପରି ହାତରେ ବାଡ଼ି ଧରି ବୁଲୁଛନ୍ତି ସେମାନଙ୍କୁ ଦେଖି ବ୍ୟସ୍ତବିବ୍ରତ ଲାଗୁଛି। ଓଡ଼ିଆଙ୍କ ହାତରୁ ଚାକିରିଠୁ ଆରମ୍ଭ କରି ଠିକାଦାରୀ ଓ ଟ୍ରାନ୍ସପୋର୍ଟ ସବୁ ଛଡ଼ାଇ ନେଲେ। ଏବେ ଓଡ଼ିଆଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି। ଏହାକୁ କେବେ ବରଦାସ୍ତ କରିବୁନି। ଦୃଢତାର ସହ ପ୍ରତିବାଦ କରିବୁ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଭୂପିନ୍ଦର ସିଂହ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଅଭିଯୋଗର ଶୁଣାଣି ପାଇଁ ୫ଟି ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ଅନ୍ୟ ଦଳମାନଙ୍କୁ କାହିଁକି ସମସ୍ୟା ହେଉଛି। ସେମାନେ ସେଠାକୁ ଯାଇ ନିଜ ସମସ୍ୟା ଜଣାଇ ପାରିବେ।

ସୂଚନାଯୋଗ୍ୟ ମଙ୍ଗଳବାର ୫ଟି ସଚିବଙ୍କର ଯାଜପୁର ଜିଲ୍ଲାର ବ୍ୟାସନଗର ଚାନ୍ଦମା ଖେଳପଡ଼ିଆରେ କାର୍ଯ୍ୟକ୍ରମ ରହିଥିଲା। ସଭା ଚାଲିଥିବା ସମୟରେ ଯୁବ କଂଗ୍ରେସ କର୍ମୀମାନେ ପାଣ୍ଡିଆନ ବିରୋଧୀ ନାରା ଦେଇ ହାତରେ ପ୍ଲା କାର୍ଡ କରି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇକୁ ଚେଷ୍ଟା କରିଥିଲା। ଏତିକିବେଳେ ୫ଟି ଲେଖାଥିବା ଧଳା ପୋଷାକଧାରୀ କିଛି ଯୁବକ ଠେଙ୍ଗା ଧରି କଂଗ୍ରେସ କର୍ମୀଙ୍କୁ ଧମକାଇବା ସହିତ ଆକ୍ରମଣ କରିବାକୁ ପଛାଉ ନ ଥିଲେ। କେତେକ ଯୁବକଙ୍କ ମୁହଁରେ ଧଳା କପଡ଼ା ବନ୍ଧା ଯାଇଥିଲା। ଆଉ କେତେ ଜଣଙ୍କ ମୁହଁରେ ଥିଲା ମାକ୍ସ। ଏହି ଯୁବକମାନେ କିଏ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Back to top button