ଅନାବୃଷ୍ଟି ଜନିତ ପରିସ୍ଥିତିରେ କ୍ଷେତ୍ର ଅଫିସରମାନେ ଚାଷୀଙ୍କ ସହ ସମ୍ପର୍କ ରଖିବା ଦରକାର : ମନ୍ତ୍ରୀ ଡ: ଅରୁଣ ସାହୁ

ଭୁବନେଶ୍ୱର : ନିଜର ମୁଖ୍ୟାଳୟ (ମୁଖ୍ୟ କାର୍ଯ୍ୟାଳୟ) କେହି ଛାଡି ପାରିବେ ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଆମେ ଯଦି ଚାଷୀଙ୍କର ସାହାଯ୍ୟରେ ନ ଆସିବୁ ତାହେଲେ ଲାଭ ନାହିଁ । ଏହା ଆମର କର୍ତ୍ତବ୍ୟ । ଅନାବୃଷ୍ଟି ଜନିତ ପରିସ୍ଥିତିରେ ଫସଲର ଅବସ୍ଥାର ଆଭାସୀ ସମୀକ୍ଷା ବୈଠକରେ ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ: ଅରୁଣ ସାହୁ।

ରବିବାର ସମୀକ୍ଷା ଡ: ଅରୁଣ ସାହୁ କହିଛନ୍ତି କ୍ଷେତ୍ର ଅଫିସରମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର। ଆପଣମାନେ ଦରକାର ପଡ଼ିଲେ ଜମି, ପରିବା ବଗିଚା ଓ ମାଛ ଚାଷ ଇତ୍ୟାଦି ଜାଗାକୁ ଯାଆନ୍ତୁ। ଆମର କର୍ତ୍ତବ୍ୟରୁ ନିଜକୁ ଦୂରେଇ ରଖିବାନୀ। ପଞ୍ଚାୟତ ଓ ବ୍ଲକ ସ୍ତରରେ ନିଜ ଅଞ୍ଚଳର ଜଳ ନିଧି, ସୌର ଜଳ ନିଧି ଉଠା ଜଳସେଚନ , ଅନ୍ୟ ଉଠା ଜଳସେଚନ ,କ୍ଷେତ ପୋଖରୀ , କ୍ଷୁଦ୍ର ଓ ମାଧ୍ୟମ ଜଳସେଚନ ପ୍ରକଳ୍ପ ସବୁର ଡାଟା ବେସ ପ୍ରସ୍ତୁତ କରନ୍ତୁ । ସେଥି ମଧ୍ୟରୁ କେତୋଟି ସମ୍ପୁର୍ଣ ହୋଇଛି , କେଉଁ ଗୁଡିକ ଚାଲୁ , ଅଚଳ , ମରାମତି ଯୋଗ୍ୟ , ବିଜୁଳୀ ସଂଯୋଗ ବିଚ୍ଚ୍ହିନ୍ନ ଓ ସମ୍ପୁର୍ଣ ଅଚଳ ତାହାର ବିଶଦ ବିବରଣୀ ସଂଗ୍ରହ କରି ଜିଲ୍ଲା ସ୍ତରକୁ ଜଣାଇଲେ ତ୍ଵରିତ ପଦକ୍ଷେପ ନିଆଯିବ।

କୌଣସି ଅଫିସରଙ୍କର ମୋବାଇଲ ବନ୍ଦ ହେବନି ଯେମିତି। ଯେକୌଣସି ସମୟରେ ପଚାରିଲେ ତତ୍କ୍ଷଣାତ ବିବରଣୀ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରୁହନ୍ତୁ । ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ସପ୍ତାହର ସାତଦିନ ନିଜ କାର୍ଯ୍ୟାଳୟ ଖୋଲାରଖନ୍ତୁ । ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ନିମନ୍ତେ ଫସଲ ବିବିଧିକରଣ ଓ ସମନ୍ଵିତ କୃଷି କାର୍ଯ୍ୟାକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରରେ ଆପାତ କାଳୀନ ଯୋଜନା ପ୍ରସ୍ତୁତ କରନ୍ତୁ । ଏଥିରେ ସ୍ବଲ୍ପ ମିଆଦି ଓ ମଧ୍ୟମ ମିଆଦି ଯୋଜନା ରହିବା ଦରକାର । ଏଥିନିମନ୍ତେ ଆବଶ୍ୟକ ଇନ୍ପୁଟ ନିମନ୍ତେ ତୁରନ୍ତ ରାଜ୍ୟ ମୁଖ୍ୟାଳୟକୁ ଜଣାନ୍ତୁ । ଜଳ ଯୋଗାଣ ନିମନ୍ତେ ସୁବିଧାଥିଲେ ଜଳସଂପଦ ବିଭାଗ ସହ ଯୋଗାଯୋଗ କରନ୍ତୁ । ଏହାଛଡା ପ୍ରତି ଶନିବାରଦିନ ୫ ଟା ସମୟରେ ବ୍ଲକ ଓ ଜିଲ୍ଲା ସ୍ତରରେ ସମସ୍ତ ପାଞ୍ଚଟି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ଓ ଏହାର ଫୋଟୋ ଓ ବିବରଣୀ ମୋ ପାଖରେ ତତ୍କାଳ ପହଞ୍ଚିବା ଦରକାର । ପଞ୍ଚାୟତ ସ୍ତରୀୟ ବୈଠକ ମଧ୍ୟ ଯଥାରୀତି ଚାଲିବା ଜରୁରୀ । ନିଜେ ସବୁ ରବିବାର ଦିନ ସାରା ଓଡିଶାର ସବୁ ଅଫିସରମାନଙ୍କ ସହ ଆଜିଭଳି ସମୀକ୍ଷା କରିବେ ବୋଲି ନିଜ ଭିଭାଗର ସବୁ ଅଫିସରମାନଙ୍କୁ ମନ୍ତ୍ରୀ ତାଗିଦ କରିଛନ୍ତି।

ଏହି ଉଚ୍ଚସ୍ତରୀୟ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ, ମସ୍ତ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଶାସନ ସଚିବଙ୍କ ସମେତ କୃଷି, ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ମାନେ ଓ ସମସ୍ତ ଉଚ୍ଚ ଆଧିକାରୀମାନେ ଯୋଗଦେଇଥିଲେ । ସମସ୍ତ ନିର୍ଦ୍ଦେଶାଳୟ ଅଧିନସ୍ଥ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଫିସରମାନେ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

Back to top button