ମୁଣ୍ଡପିଛା ଆୟରେ ଓଡ଼ିଶା ତଳେ ରହିଛି : ଜେ ପି ନଡ୍ଡା

ଭବାନୀପାଟଣା : ବାନୀପାଟଣା ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଣ୍ଡପିଛା ଆୟରେ ଓଡ଼ିଶା ତଳେ ରହିଥିବା ବେଳେ ମହିଳା ଉତ୍ପୀଡ଼ନରେ ଆଗରେ ରହିଛି। ଏଠାରେ ପିସି କାରବାର ଚାଲିଛି। କେନ୍ଦ୍ର ଯୋଜନାକୁ ନାଁ ବଦଳେଇ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି। କିନ୍ତୁ ଓଡ଼ିଶା ଲୋକଙ୍କୁ ଏହି ଯୋଜନାରୁ ବଞ୍ଚିତ କରାଯାଉଛି।
ଶୁକ୍ରବାର ଭବାନୀପାଟଣା ବିଜେପି ଜନସଂପର୍କ କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡା ‘ଜୟ ଜଗନ୍ନାଥ’ କହି ଭାଷଣ ଆରମ୍ଭ କରିଥିଲେ। ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ପ୍ରତି ଜଣାଇଥିଲେ ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ସେ କହିଲେ ଓଡ଼ିଶାରେ ଗୋଟିଏ ଦଳ ୨୩ ବର୍ଷ ସରକାର ରହିଥିଲେ ହେଁ ଏହି ରାଜ୍ୟ ସବୁଠାରୁ ପଛୁଆ ଓ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦି ରାସନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି। ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି ଏହାର ତଦନ୍ତ କରାଯିବ ଓ ଦୋଷୀକୁ ଜେଲ୍ ପଠାଯିବ।
ଜେ ପି ନଡ୍ଡା କହିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି। ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି। ନୋବେଲ ବିଜେତା ପଲ୍ ରୋମର ମୋଦୀଙ୍କ ପ୍ରଶଂସାରେ ଶତମୁଖ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବସ୍’ କହି ସମ୍ବୋଧନ କରୁଛନ୍ତି। ଏକଥାକୁ କଂଗ୍ରେସ ହଜମ କରିପାରୁନାହିଁ। କଂଗ୍ରେସ ନେତା ମୋଦୀଙ୍କୁ ସାପ, ବିଚ୍ଛା କହିବାକୁ ପଛାଉନାହାନ୍ତି। ସେମାନେ ଏକଥା ଭୁଲିଯାଉଛନ୍ତି ଦେଶର ୧୪୦ କୋଟି ଜନତା ମୋଦୀଜିଙ୍କ ସହିତ ଅଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ଵେଶ୍ଵର ଟୁଡ଼ୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକ ଓ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।