ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ଜଗତସିଂହପୁର ବିଜେଡି ଜିଲ୍ଲା ଉପସଭାପତି

ଜଗତସିଂହପୁର : ଜଗତସିଂହପୁର ବିଜେଡି ଜିଲ୍ଲା ଉପସଭାପତି ହୋଇଛନ୍ତି ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ। ଏହାକୁ ନେଇ ପାରାଦ୍ୱୀପ ବିଜେଡିରେ ବିବାଦ ସୃଷ୍ଟି ହୋଇଛି। କାରଣ ୨୦୧୮ରେ ଟିଟୋ ଲିଙ୍କରେ ବାପୁଙ୍କୁ ଏସଟିଏଫ ଗିରଫ କରିଥିଲା। ହତ୍ୟା, ଦାଦା ବଟି, ଗୁଳିକାଣ୍ଡ, ଅପହରଣ ଓ ଧମକଚମକ ଭଳି ୨୮ଟି ମାମଲାରେ ବାପୁଙ୍କର ସମ୍ପୃକ୍ତି ଥିବା ଏସଟିଏଫକୁ ପ୍ରମାଣ ମିଳିଥିଲା।

ଖବର ଅନୁଯାୟୀ ଜ୍ୟୋତିକାନ୍ତ ପରିଡ଼ାକୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପ ସଭାପତି ପଦ ମିଳିବା ପରେ ପ୍ରଶ୍ନ ଉଠାଇଛନ୍ତି ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି ମୁଁ ତାଙ୍କ ନାଁ ସୁପାରିଶ କରିନଥିଲି। କିନ୍ତୁ ତାଲିକାରେ କେମିତି ସେହି ନାଁ ଆସିଲା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ମୋ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁକୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି। ସେ ଏଥିପାଇଁ ପୂର୍ବତନ ଜିଲ୍ଲା ସଭାପତି ତଥା ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କରିଛନ୍ତି।

ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ। କିଏ କ’ଣ ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ। ଯିଏ ମୋ ନାଁ ନେଇଛି ତାଙ୍କୁ ପଚାର। ସେ ହିଁ ତାହାର ସ୍ପଷ୍ଟୀକରଣ ଦେବ ବୋଲି ପ୍ରଶାନ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button