ସାମ୍ପ୍ରତିକ ସମୟରେ ସାହିତ୍ୟିକଙ୍କ ଜନବାଦୀ ଭୂମିକା

।। ମାୟାଧର ନାୟକ ।। ସମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ । ସମୟ ଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ, ତାହା ସେତେ ଅଦୂରଦର୍ଶୀ । ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତ୍ୟିକଟିଏ କେବଳ ଏକ ସାମର୍ଥ୍ୟହୀନ ଏକକ । ଆମର ପରମ୍ପରାରେ ସାହିତ୍ୟିକକୁ ‘ଦ୍ୱିତୀୟ ଈଶ୍ୱର’ ଓ କବିକୁ ‘କ୍ରାନ୍ତଦର୍ଶୀ’ ବୋଲି କୁହାଯାଇଅଛି । ମାତ୍ର ସାଂପ୍ରତିକ ସମୟରେ ଏହି ପରମ୍ପରା ପ୍ରତି କୌଣସି ପ୍ରକାରେ ସାମାନ୍ୟତମ ଅଙ୍ଗୀକାରବୋଧ କେଉଁଠି କେହି ଲକ୍ଷ୍ୟ କରୁଛନ୍ତି କି ?

ସାଂପ୍ରତିକ ସମୟ ଏକପ୍ରକାର ଅସହନୀୟ ଅସମୟ । ମଣିଷ ଓ ମଣିଷ ମଧ୍ୟରେ ମୁନାଫାଖୋର ମୁନିବମାନେ ଛିଡାକରାଇ ସାରିଛନ୍ତି ବିଭିନ୍ନ ଭେଦବିଭେଦର ମେଘନାଦ ପ୍ରାଚୀର । ମୁନିଋଷି ନାହାନ୍ତି, ମନୀଷୀମାନେ ନାହାନ୍ତି – ସମାଜର ସର୍ବୋଚ୍ଚ ସୋପାନରେ ଏବେ ଏହି ମଣିଷତ୍ୱହୀନ ମୁନିବବର୍ଗ । ଏମାନେ ପ୍ରସ୍ତୁତ କରୁଛନ୍ତି ସାହିତ୍ୟ-ସଂସ୍କୃତି-ରାଜନୀତି-ଅର୍ଥନୀତିର ସୂତ୍ରସବୁ – ଯାହା ସେମାନଙ୍କ ଦ୍ୱାରା ସୃଷ୍ଟ ସ୍ଥିତାବସ୍ଥାକୁ ପ୍ରଦାନ କରିଚାଲିଥିବ ଅନ୍ଧ ସପକ୍ଷତା । ଯୁଆଡେ ଅନାନ୍ତୁ, ଦେଖିବେ ହସ ନାହିଁ କି ସାହସ ନାହିଁ – ଅଛି କେବଳ ଭୀରୁତାର ଭଉଁରି !

ଏହି ପରିପ୍ରେକ୍ଷୀରେ ସାହିତ୍ୟ ଓ ସାହିତ୍ୟିକର ଜନବାଦୀ ଭୂମିକାଟି ପ୍ରକୃତରେ ଏକ ପ୍ରକାଣ୍ଡ ପ୍ରଶ୍ନବାଚୀ । ଏ ‘ଜନ’ କିଏ ? ଏ ‘ଜନ’ ଆଜି ମହାଜନମାନଙ୍କ ସୁଧକଷା ଖାତାର ଖାତକ କେବଳ ! ତା’ ମୁଣ୍ଡରେ ବୋଝ ଉପରେ ନଳିତା ବିଡା । ତାକୁ ବେଳେବେଳେ ଆମ ପ୍ରଗତିଶୀଳ କବି ଲେଖକବର୍ଗ ‘ଗଣ’ ବୋଲି ପାଠକ ଦରବାରକୁ ଚିହ୍ନାଇ ଦିଅନ୍ତି । ମାତ୍ର ‘ଗଣ’ ହେଉଛି ସେଇ ଅଗ୍ନିସ୍ଫୁଲିଙ୍ଗ, ଯାହା ସଚେତନତା ଦ୍ୱାରା ପ୍ରଣୋଦିତ ହୋଇ ଆସନ୍ନ ବିପ୍ଳବର ଅଂଶୀଦାର ହେବାକୁ ଆଗଭର । ‘ଜନ’ କିନ୍ତୁ ଜୀବନସଂଗ୍ରାମ ଜର୍ଜରିତ ଏକ ସର୍ବସ୍ୱାନ୍ତ ସମୁଦାୟ – ଯିଏ ଭବିଷ୍ୟତର ‘ଗଣ’ ହେବା ପୂର୍ବରୁ ବଳିପଡୁଥାଏ ‘ଗଣତନ୍ତ୍ର’ର ଗିଲୋଟିନ୍‌ରେ – ସେ କେବଳ ଗଣା ହୋଇଥାଏ ଭୋଟର୍ ତାଲିକାରେ । ନହେଲେ ତା’ ନାଗରିକ ଅଧିକାର ତାକୁ ମିଳିନଥାଏ ଶେଷପର୍ଯ୍ୟନ୍ତ ।

‘ଜନ’ ଆଜିପର୍ଯ୍ୟନ୍ତ ଓ ବି ‘ଗଣ’ରେ ରୂପାନ୍ତରିତ ହୋଇପାରିଲା ନାହିଁ । ତା’ ‘ମନ’ ଯାଇ ଗହନବନରେ ବାଟବଣା । ଆମ ଜାତୀୟସଂଗୀତର ‘ଜନଗଣମନ’ ଉଚ୍ଚାରଣର ସର୍ବାଗ୍ରେ ସେ ବ୍ୟବସ୍ଥିତ, ଅଥଚ ଆମ ରାଜନୀତି ଓ ଅର୍ଥନୀତିର ସବାତଳ ପାହାଚ ପାଖରେ ସେ ଘାସଟେ କି ପତ୍ରଟେ ବି ନୁହେଁ। କିଏ ତାକୁ ପଚାରେ ? ସାହିତ୍ୟ ପଚାରେ କି ? ‘ଜନ’କୁ ନେଇ ଜନରବ କେଉଁଠି ଶୁଭୁଛି କି ? ଜନବାଦକୁ ସାହିତ୍ୟରେ ନୁହେଁ, ଦାୟିତ୍ୱରେ ସ୍ୱୀକୃତି ଦେବାର କଥା । ତାହା ଏଠି କେତେଦୂର ଚରିତାର୍ଥ ହୋଇପାରିଛି ? ସାଂପ୍ରତିକ ସାହିତ୍ୟ କ’ଣ ଏହି ବିଡମ୍ବନା ପାଇଁ ସାଂପ୍ରତିକ ଶାସନତନ୍ତ୍ରକୁ ଦୋହଲାଇ ଦେବାର ଦୁଃସାହସ କଲାଣି କି ? ବରଂ ଚଳିତ ସାହିତ୍ୟରୁ ଦଳିତ ସାହିତ୍ୟ ପର୍ଯ୍ୟନ୍ତ ବିଭିନ୍ନ ବିଚିତ୍ର ଗୋଷ୍ଠୀ ଓ ଶିବିର ଗଢି ସାଂପ୍ରତିକ ସାହିତ୍ୟିକବର୍ଗ ଆତ୍ମବିଭକ୍ତ ଓ ବିବାଦରତ । ଏ ବିବାଦ ଭିତରେ ପ୍ରକୃତରେ ‘ଜନବାଦ’ର ବୀଜ କେଉଁଠି ? ଆତ୍ମପ୍ରଚାରଧର୍ମୀ ଓ ସ୍ୱୀକୃତିଲୋଭୀ ଆମ ସାହିତ୍ୟର ବଡପଣ୍ଡାଏ ଜନକୁ ଅନାନ୍ତିନାହିଁ କି ଗଣକୁ ଖୋଜନ୍ତିନାହିଁ – ସେମାନଙ୍କ ମନ ଯାଇ ଷ୍ଟାର୍‌ହୋଟେଲ୍‌ର ସାହିତ୍ୟସଭାରେ । ସାଂପ୍ରତିକ ସମୟର ସାହିତ୍ୟକୁ ଶ୍ରେଣୀଚରିତ୍ର ଦୃଷ୍ଟିରୁ ଆମେ ‘ବଜାରୀ ସାହିତ୍ୟ’ ବୋଲି କହିଲେ କ’ଣ ଦୋଷ ? ଏହା ବଜାର ପାଇଁ, ବଜାର ଦ୍ୱାରା ପ୍ରସ୍ତୁତ ବଜାରର ବିକ୍ରୀତବ୍ୟ ବିଷୟବସ୍ତୁ ମାତ୍ର ଏବଂ ଗଭୀର କ୍ଷୋଭର କଥା ଯେ ସେ ବିଷୟବସ୍ତୁରେ ‘ଜନ’ର ମନକଥା ନୁହେଁ, ବରଂ ‘ନିର୍ଜନ ସତାର ଆତ୍ମନେପଦୀ’ ଭରପୂର । ବର୍ତ୍ତମାନ ବିଚାରବିାର ବେଳ… ପଚାରିବାର ପାଳି । ସାହିତ୍ୟ ଆଜି ବିଚାରୁଚି କି ? ସାହିତ୍ୟିକ ଏବେ ପଚାରୁଚି କି ? ସାହିତ୍ୟ ପ୍ରଶ୍ନପତ୍ର ନହୋଇ ଉତରଖାତା ହେବାକୁ ପସନ୍ଦ କରୁଛି କାହିଁକି ?

ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାର ଶଦ୍ଦଲହରି । ଲିପି ନଥିଲା, ନଥିଲା ବର୍ଣର୍ମାଳାର ବନ୍ଧନ । ମୁକ୍ତ ସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର ଭାଷା ସଂଚରି ଯାଉଥିଲା ହୃଦୟକୁ । ଶ୍ରୁତି ଏବଂ ସ୍ମୃତି ମାଧ୍ୟମରେ ଦୀର୍ଘକାଳ ବ୍ୟାପୀ ଅବ୍ୟାହତ ରହିଥିଲା ଏହି ଧାରା । ଭାରତୀୟ ପରମ୍ପରାର ଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ । ପରେ ଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେ ଛନ୍ଦି ହେଲା – ବନ୍ଦୀ ହେବାକୁ ଆରମ୍ଭ କଲା ସାହିତ୍ୟ ସଂକୀର୍ଣ୍ଣତାର ଗଣ୍ଡ ଭିତରେ । ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖଶୋକସନ୍ତପ୍ତ, ଯାତନାଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳ ସାନ୍ତ୍ୱନା ! ମୁନି, ମନୀଷା, ମହର୍ଷି, ମହାତ୍ମାମାନଙ୍କ ଉଦ୍‌ବୋଧନରେ ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ସାହିତ୍ୟ । ଜନଜୀବନରେ ସତ୍ ଓ ଶୁଦ୍ଧ ଚିନ୍ତନର ପରିପ୍ରସାର ଦିଗରେ ସାହିତ୍ୟ ଥିଲା ସଂକଳ୍ପବଦ୍ଧ । ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶ କରି ନଥିଲା ସାହିତ୍ୟର ସରହଦ୍‌ରେ, ସମୁଦାୟ ସମାଜ ବା ‘ବ୍ୟକ୍ତି’ ଥିଲା ସାହିତ୍ୟର କେନ୍ଦ୍ରବିନ୍ଦୁ ।

ଯୁଗ ବଦଳିଲା – ବଦଳିଲା ସାହିତ୍ୟର ସ୍ୱଧର୍ମ । ପ୍ରାଚୀନ ଓ ମଧ୍ୟଯୁଗର ସମାଧି ଉପରେ ଜନ୍ମ ନେଲା ନୂତନ ସାହିତ୍ୟ । ପ୍ରାଚୀନ ସାହିତ୍ୟର ସରଳ ସ୍ୱଚ୍ଛନ୍ଦ ଭାବଧାରା, ମଧ୍ୟଯୁଗର ଶରୀର ସର୍ବସ୍ୱ ବର୍ଣର୍ନା-ବିଳାସ ପରିବର୍ତେ ସାହିତ୍ୟରେ ମୁହଁ ଦେଖାଇବାକୁ ଆରମ୍ଭ କଲା ବିଭକ୍ତ ବ୍ୟକ୍ତିତ୍ୱ, ସ୍ୱବିରୋଧ, ଆତ୍ମଦ୍ୱନ୍ଦ୍ୱ ଓ ଜର୍ଜରିତ ଜୀବନଯନ୍ତ୍ରଣା । ଶିଳ୍ପ ବିପ୍ଳବ ପରେ ନୂତନ ପୃଥିବୀର ମଣିଷକୁ ନେଇ ଯେଉଁ ସାହିତ୍ୟ ସୃଷ୍ଟି ହେଲା, ତା’ର ଚିତ୍ର ଓ ଚରିତ୍ର ଏକବାରେ ଅଲଗା । ନୂଆ ଯେତିକି, ନିଆରା ବି ସେତିକି । ଅରଣ୍ୟ, ନଗର, ରାଜସଭାର ପୃଷ୍ଠଭୂମି ପରିତ୍ୟାଗ କରି ଯନ୍ତ୍ରସଭ୍ୟତାର ଜଟିଳ ଜୀବନବୋଧକୁ ନେଇ ରଚିତ ହେଲା ନୂତନ ସାହିତ୍ୟ । କ୍ରମେ ସାମୂହିକ ସ୍ୱାର୍ଥ ବା ସାମାଜିକ ମାଙ୍ଗଳିକତାର ମନ୍ତ୍ର ଭାବରେ ନୁହେଁ, ବରଂ ବ୍ୟକ୍ତିବାଦର ବିଜ୍ଞପ୍ତି ଭାବରେ ମୁଣ୍ଡ ଟେକିଲା ସାହିତ୍ୟ ।

ଶିଳ୍ପ ବିପ୍ଳବ ପୂର୍ବରୁ କୃଷିଭିତିକ ସଂସ୍କୃତିରେ ପରିପୁଷ୍ଟ ହୋଇଥିବା ସାହିତ୍ୟକୁ ନିୟନ୍ତ୍ରଣ କରୁଥିଲେ ସାମନ୍ତବାଦୀ ଶ୍ରେଣୀ । ରାଜା ଜମିଦାରମାନଙ୍କ ପୃଷ୍ଠପୋଷକତା କିନ୍ତୁ ସାହିତ୍ୟର ସ୍ୱାଧୀନତାକୁ ଅପହରଣ କରି ନେଇଥିଲା ସେଦିନ । ଦରିଦ୍ର ଲେଖକ ବଂଚିବାର ଦାୟରେ ଜୟଗାନ କରୁଥିଲା ରାଜାରାଜୁଡାଙ୍କର, ଅତ୍ୟାଚାରୀ ଜମିଦାର ଶ୍ରେଣୀର । ଏପରିକି ରାଜାମାନଙ୍କ ନାମରେ ବହୁ କବି, ଲେଖକ ‘ଭଣିତା’ କରି ଯାଉଥିଲେ ନିଜସ୍ୱ ସାରସ୍ୱତ ସୃଷ୍ଟି ସମ୍ଭାର । ମାତ୍ର ଶିଳ୍ପ ବିପ୍ଳବ ପରେ ସାହିତ୍ୟ କ୍ରମେ ପାଲଟିଲା ବଣିକର ପଣ୍ୟ…ପୁଞ୍ଜିବାଦୀ ଶିଳ୍ପପତିର ବିଳାସ ସାମଗ୍ରୀ । ଶସ୍ତା ଆମୋଦ ହୋଇପଡିଲା ସାହିତ୍ୟର ଆଭିମୁଖ୍ୟ ।

ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏବେ ଶାସକବର୍ଗର ନିର୍ଲଜ ଚାଟୁକାର ଅଧିକାଂଶ କବି ଲେଖକା ନିଜକୁ ନିଲାମ୍ କରୁଛନ୍ତି ନାମମାତ୍ର ମୂଲ୍ୟରେ । ସାହିତ୍ୟର ନାଡିନକ୍ଷତ୍ର ଠିକ୍‌ଠାକ୍ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ । ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲ୍‌ର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ । କୃତ୍ରିମ ପ୍ରସାଧନରେ ସଜ୍ଜିତ କରିଛି ନିଜକୁ ।

ଏଇଠି ପ୍ରଶ୍ନ ଉଠୁଛି ସାହିତ୍ୟର ଦାୟିତ୍ୱ ସମ୍ପର୍କରେ । ସାହିତ୍ୟ ତା’ର ଦାୟିତ୍ୱ ତୁଲାଇ ପାରୁଛି କି ସଠିକ୍ ଭାବରେ ? ବର୍ତ୍ତମାନ ଆଖି ଆଗରେ ଯାହା ଦିଶି ଯାଉଛି, ସେଥିରେ ଜଳକା ହେବା ଛଡା ଅନ୍ୟଗତି ନାହିଁ ଆମର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହା ସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରୁ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ନିଦର୍ଶନ । ବ୍ଲୁ ଫିଲ୍ମର କୁତ୍ସିତ କାମୋଦ୍ଦୀପକ ଆଭିମୁଖ୍ୟ ଓ ଏଲୋ ଜର୍ଣ୍ଣାଲିଜମ୍‌ର ହୋ-ହଲ୍ଲାଧର୍ମୀ ହଟଚମଟ ସହିତ ତାଳ ଦେବାକୁ ବସୁଛି ଆଜିର ଲେଖକ ।

ଏଇଠି ସେଇ ପ୍ରଶ୍ନ – ଏସବୁ ଲେଖା କ’ଣ ସାହିତ୍ୟ ?
ଅତି କଠୋର ଉତ୍ତର ହେଉଛି – ନା, ନା, ନା !
ସବୁ ଯୁଗରେ, ସାହିତ୍ୟର ଭିଡ ଭିତରେ, ଏଇ ନା-ନା-ନା’ର ବିରଳ ସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା – ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ । ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର ! ମେଣ୍ଢାମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ ନିରାପତାପ୍ରେମୀ ଚାରଣ ଚାଟୁକାର ଲେଖକମାନଙ୍କ ଭିଡ ଭିତରେ ବି ଆମେ ଲକ୍ଷ୍ୟ କରିଛେ ଜଣେ ଜଣେ ସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟ କରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରି ନାହାନ୍ତି, ରାଜଦଣ୍ଡ ଓ ଫାଶି ମଂଚକୁ ଖାତିର୍ କରି ନାହାନ୍ତି ମୋଟେ । ପ୍ରାଚୀନ ଗ୍ରୀକ୍‌ସମାଜର ତରୁଣମାନଙ୍କୁ ସଚେତନ କରିବାର ‘ଅପରାଧ’ରେ ସେଦିନର ଶାସନତନ୍ତ୍ର ବିଷ ପିଇବାର ‘ଶାସ୍ତି’ ଦେଇଥିଲା ସକ୍ରେଟିସ୍‌ଙ୍କୁ । ସକ୍ରେଟିସ୍ ନିଜ ଆଦର୍ଶରୁ ବିଚ୍ୟୁତ ହୋଇ ବଂଚି ରହିବା ଅପେକ୍ଷା ବିଷ ପିଇ ମରିଯିବାକୁ ଶ୍ରେୟସ୍କର ମଣିଥିଲେ ସେଦିନ ।
ଆଜି ପ୍ରତ୍ୟେକ ସଚେତନ ସାହିତ୍ୟିକଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ନିଶ୍ଚୟ । ସନ୍ତୁଷ୍ଟ ଶୂକରର ପୂତିଗନ୍ଧମୟ ଜୀବନ ନା ଅସନ୍ତୁଷ୍ଟ ସକ୍ରେଟିସ୍‌ର ଆଦର୍ଶ ଆତ୍ମବଳିଦାନ – କେଉଁଟା ସେମାନଙ୍କ ପାଇଁ ସ୍ଫୃହଣୀୟ ?

ବର୍ତ୍ତମାନ ସମୟରେ ଯେଉଁଠି ସାହିତ୍ୟ ସଭାଗୁଡିକ ଆୟୋଜିତ ହେଉଛି, ସେଠାକୁ ମନ୍ତ୍ରୀ,ଏମ୍‌.ଏଲ୍‌.ଏ., ଏମ୍‌.ପି., ଆଇ.ଏ.ଏସ୍‌., ଆଇ.ପି.ଏସ୍‌.ମାନଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଅଣାନଗଲା ଯାଏ ଆମ ସାହିତ୍ୟ ସଭା ଅଚଳ ହୋଇ ରହୁଛି! ଯେମିତି ଏମାନଙ୍କ ବିନା ସାହିତ୍ୟ ସଭା ଶୋକସଭା । ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାରର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକ ମାନଙ୍କର ବହି ସିଲେକ୍‌ସନ୍‌ରେ ଲାଂଚ କାରବାର ଚାଲିଛି । ଯାହା ଫଳରେଭଲ ଭଲ ପୁସ୍ତକ ବାଦ୍ ପଡିଯାଉଛି । ଦୁର୍ନୀତିର ଦାଶକାଠିଆ ଖାଲି ରାଜନୀତିର ରଣଭୂଇଁରେ ନୁହେଁ, ସାହିତ୍ୟର ସରହଦରେ ମଧ୍ୟ ବଜାୟ ରହିଛି ।

ସାହିତ୍ୟରେ ଅଙ୍ଗୀକାର ନାହିଁ – ଅନୁରାଗ ନାହିଁ – ସାମ୍ନା କରିବାର ସାହସିକ ସ୍ୱର ନାହିଁ – ଏଭଳି ସାହିତ୍ୟ କେବଳ ବିଳାସ ଛଡା ଆଉ କ’ଣ ହୋଇପାରେ ? ସେଇ ପାଣିଚିଆ ପ୍ରେମ, ଜାନ୍ତବ ଯୌନତା । ଶସ୍ତା ଆମୋଦର ଚିତ୍ର ଆଙ୍କିବାରେ ସାହିତ୍ୟ ଆଜି ବି ସନ୍ତୁଷ୍ଟ । ଅସନ୍ତୋଷ, ଅଦମ୍ୟ ପ୍ରତିବାଦର ଅଗ୍ରଦୂତ ଭାବରେ ସାବ୍ୟସ୍ତ ନହେଲେ ଦୁର୍ନୀତି ନିବାରଣ ଦିଗରେ ଲେଖକମାନେ ନିଷ୍ଠାପର ଭୂମିକା ନିର୍ବାହ କରିପାରିବେ କି ? ଏ ପ୍ରଶ୍ନର ଉତ୍ତର ଲେଖକମାନେ ନିଜେ ନିଜକୁ ପଚାରନ୍ତୁ ପ୍ରଥମେ । ସଭାରେ ଦୁର୍ନୀତିର ଶ୍ରାଦ୍ଧ କରି ସାହିତ୍ୟରେ ନୈତିକତାହୀନ ନିର୍ଲଜ କସରତ ଦେଖାଇବାର ମାନେ କିସ ହୁଏ ? ହତାଶାର ହାହତୋସ୍ମି ମଧ୍ୟରେ ଆଶାର ଅଙ୍କୁର ଲୁଚି ରହିଛି । ଯେଉଁ ଯେଉଁ ଭୂଇଁରେ ଅନ୍ୟାୟ ଅତ୍ୟାଚାର ଶୋଷଣ ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି; ସାହିତ୍ୟର ଭୂମିକା ସେଠି କିଛି କମ୍ ନୁହେଁ । ଗର୍କୀଙ୍କର ମା’ ବିପ୍ଳବର ପ୍ରଚାରପତ୍ର ବାଂଟୁଥିଲା, ଏଠି କିନ୍ତୁ କଳାହାଣ୍ଡିର ମା’ ବିକ୍ରି କରୁଛି ତାର କ୍ଷୀରଖିଆ ଛୁଆଟିକୁ । କେଉଁ ଦାରୁଣ ଦୁଃଖର ତାଡନାରେ? ଏ ଦୁଃଖର ହେତୁ କେଉଁଠି ?ଲେଖକମାନେ ବିଚାର କରନ୍ତି କାହିଁକି କିଏ ଅବ୍ୟବସ୍ଥାର ବ୍ୟବସ୍ଥା ସୃଷ୍ଟି କରିଛି କି ?

ଦୁର୍ନୀତି ସଂପ୍ରତି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପି ଯାଇଚି । ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭକରି ଚପରାଶୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆତଙ୍କିତ କରିରଖିଛି ଦୁର୍ନୀତିର ବଦନାମ । ଲେଖକମାନେ ମଧ୍ୟ ବାଦ ନୁହଁନ୍ତି । ଲେଖକମାନେ ଯଦି କୌଣସି ନା କୌଣସି କାମରେ ଦୁର୍ନୀତିରେ ଲିପ୍ତ ଥାଆନ୍ତି – ସେମାନେ କେବେହେଲେ ଲଢି ପାରିବେ ନାହିଁ । ଦୁର୍ନୀତି କେବଳ ଲାଂଚ ନେବାକୁ ବୁଝାଏ ନାହିଁ – ଯେତେ ପ୍ରକାର ଅନୀତି କାର୍ଯ୍ୟକୁ ଦୁର୍ନୀତି କୁହାଯାଏ । ଦୁର୍ନୀତିର ମୂଳୋତ୍ପାଟନ ନ ହେଲେ ସମାଜ ଧ୍ୱଂସମୁଖୀ ହେବାକୁ ବାଧ୍ୟ, ଦୁର୍ନୀତି ବିରୋଧୀ ଲେଖା ଆଉ ଲେଖକଙ୍କ କଲମ ମୁନରୁ ବାହାରୁ ନାହିଁ, ଲେଖକମାନଙ୍କ ନାଡିନକ୍ଷେତ୍ର ଠିକ୍‌ଠାକ୍ ଅଛି ବୋଲି ବିଶ୍ୱାସ ହେଉନାହିଁ । ବର୍ତମାନ ଆଖିଆଗରେ ଯାହାସବୁ ଦିଶିଯାଉଛି, ସେଥିରେ ଜଳକା ହେବା ଛଡା ଅନ୍ୟଗତି ନାହିଁ ଲେଖକମାନଙ୍କର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହାସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରେ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ପ୍ରଦର୍ଶନ । ବ୍ଲୁ ଫିଲ୍ମର କୁତ୍ସିତ କାମୋଦ୍ଦୀପକ ଆଭିମୁଖ୍ୟ ଓ ଏଲୋ ଜର୍ଣ୍ଣାଲିଜମ୍‌ର ହୋ-ହାଲ୍ଲାଧର୍ମୀ ହଟଚମଟ ସହିତ ତାଳ ଦେବାକୁ ବସିଛି ଆଜିର ଲେଖକ । ଜ୍ଞାନ, ଅଭିଜ୍ଞାନ ଓ ଆଭିମୁଖ୍ୟର ପ୍ରଚଣ୍ଡ ଦୁର୍ବଳତା ହେତୁ ଓଡିଶାରେ ଯୋଗ୍ୟ ଲେଖକ ଉତୁରି ପାରୁନାହାନ୍ତି । ସାହିତ୍ୟର ଆତ୍ମାକୁ ଉଦ୍ଧାର କରାଯିବାର ଅଭିଯାନ ଆରମ୍ଭ ହେଉ ଏବଠୁ । ସାହିତ୍ୟକୁ ବାରବଧୂ ନ କରି ସୁଗୃହିଣୀର ସମ୍ମାନ ଓ ସାଂଭ୍ରାନ୍ତ୍ୟରେ ଭୂଷିତ କରିବାର ଦାୟିତ୍ୱ ସାହିତ୍ୟିକମାନଙ୍କର । ବିରାଟ ବୁଭୁକ୍ଷୁ ସମାଜର ଦୀର୍ଘଶ୍ୱାସକୁ ଉପେକ୍ଷା କରି ମୁଷ୍ଟମେୟ ମାନସଭୋଜ୍ୟ ନହେଉ ସାହିତ୍ୟିକର ସୃଷ୍ଟି ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave a Reply

Your email address will not be published. Required fields are marked *

Back to top button