ରାଜ୍ୟ ସରକାର ମା’ମାନଙ୍କୁ ଭୁଆଁ ବୁଲାଉଛନ୍ତି : କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍କୁଟି ଯୋଜନା ନିର୍ବାଚନୀ ଧୁଆଁବାଣ ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି।

ଖବର ଅନୁଯାୟୀ ଆଜି ପିସିସି ସାଧାରଣ ସଂପାଦିକା ତଥା ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରମତୀ ଅପର୍ଣ୍ଣା ଧିର ସିଂ, ପିସିସି ସମ୍ପାଦକ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ପ୍ରମୁଖ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ରାଜ୍ୟ ସରକାର ମହିଳାମାନଙ୍କ ବିକାଶ କଥା କହୁଥିବା ବେଳେ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ। ୭୦ଲକ୍ଷ ସ୍ୱୟଂସହାୟକ ଗୋଷ୍ଠି ମା’ ମାନଙ୍କ ମଧ୍ୟରୁ ମାତ୍ର ୬ଲକ୍ଷ ମହିଳା ସଦସ୍ୟା ଛତୁଆ, ପାମ୍ପଡ଼, ବଡ଼ି, ଆଚାର, ସିଲେଇ, ଗୃହ ଉପକରଣ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟରେ ସହଭାଗୀ ହୋଇଛନ୍ତି। ବାକି ୬୪ଲକ୍ଷ ମା’ ମାନଙ୍କ ସ୍ଥିତି କ’ଣ ଓ କେଉଁ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ବୋଲି ମହିଳା ସଶକ୍ତିକରଣର ମନ୍ତ୍ରୀ ଏବଂ ମିଶନଶକ୍ତିର ନିର୍ଦ୍ଦେଶିକା ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିକୋଣରୁ ଏହାର ତଥ୍ୟ ଜନସାଧାରଣଙ୍କ ନିକଟରେ ପ୍ରକାଶ କରନ୍ତୁ।

ସାଧାରଣତଃ ପାର୍ବଣ ଋତୁରେ ଯଦି ଘରକୁ ଫ୍ରିଜ, ୱାସିଂ ମେସିନ, ମୋଟର ସାଇକେଲ ଆଦି କିଣାଯାଏ ତେବେ ଜିରୋ ଡାଉନପେମେଂଟରେ ଏବଂ ଜିରୋ ସୁଦ୍ଧରେ ସାଧାରଣ ଲୋକଙ୍କୁ ମିଳିବା ସମ୍ଭବ ହେଉଛି। ରାଜ୍ୟ ବିଜେଡ଼ି ସରକାର ଗତକାଲି ଯେଉଁ ୧୫ ହଜାର ବିଏଲଏଫ ଓ ଡିଏଲଏଫକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଲେ ସେଥିରେ ସରକାରଙ୍କର ବାହାଦୁରୀ କଣ ? ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ୁଛି ବିଏଲଏଫ ଓ ଡିଏଲଏଫଙ୍କ ଦରମା ମାତ୍ର ୩ ହଜାର ଟଙ୍କା ସେଥିରୁ ୨୦୦୦ ଟଙ୍କା ଯଦି କିସ୍ତି ସୁଝିବାକୁ ପଡ଼େ ଆଉ ବାକି ୧୦୦୦ ଟଙ୍କାରେ ସ୍କୁଟିରେ ତେଲ ପକାଇ ବୁଲନ୍ତି ତେବେ ଘର ଚଳିବା ପାଇଁ କେତେ ଟଙ୍କା ବଳିବ ତାହା ସରକାର ସ୍ପଷ୍ଟ କରନ୍ତୁ। ପ୍ରତି ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଦେଖାଯାଏ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ପାଚିକା ଏବଂ ବ୍ୟାଙ୍କ ମିତ୍ରମାନେ ମଶା, ଡାଅଁସ, ଖରା ଓ ବର୍ଷାକୁ ଖାତିର ନକରି ଦିନରାତି ଧାରଣା ଦେଉଛନ୍ତି । ସେମାନେ ଏ ରାଜ୍ୟର ମହିଳା କି ନୁହଁନ୍ତି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ସେମାନେ ଦାବି କରିଛନ୍ତି।

କେବଳ ସ୍ୱୟଂ ସହାୟକ ଗୋଷ୍ଠିର ୨ ଲକ୍ଷ ମିଶନ ଶକ୍ତିର ମା’ ମାନଙ୍କୁ ସ୍କୁଟି ଦେଇଦେଲେ ଏ ରାଜ୍ୟର ମହିଳାମାନେ ସଶକ୍ତ ହେଇଯିବେକି ? ରାଜ୍ୟ ସରକାର ଦୟାକରି କହିବେକି ରାଜ୍ୟର ୭୦ଲକ୍ଷ ସ୍ୱୟଂସହାୟିକା ମହିଳାମାନଙ୍କର ଦିନକୁ ରୋଜଗାର କେତେ ଏପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଜଣାଯାଉ ନାହିଁ କାହିଁକି ? ରାଜ୍ୟରେ ଜଣେ କୃଷକର ଆୟ ୨୭ଟଙ୍କା ହୋଇଥିଲା ବେଳେ କିଭଳି ଭାବରେ ସେ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଠିକ୍ ସେହିଭଳି ଭାବରେ ସ୍ୱୟଂସହାୟିକା ମହିଳାମାନଙ୍କର ଦିନକୁ ଆୟ ଟ. ୧୫.୬୭ ପଇସା ଏହାଦ୍ୱାରା ମହିଳମାନେ ସଶକ୍ତ ହେବେତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button