ନେତାଙ୍କୁ ଅପାଠୁଆ କହି ଟ୍ରୋଲ ହେଲେ କାଜଲ

ମୁମ୍ବାଇ : ଅପାଠୁଆ ନେତାମାନଙ୍କ ଦ୍ଵାରା ଭାରତ ଶାସିତ ହେଉଛି ମନ୍ତବ୍ୟ ବଲିଉଡ୍ ଅଭିନେତ୍ରୀ କାଜଲଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ଏହାର ହେଉଛି ପ୍ରବଳ ସମାଲୋଚନା।
ଖବର ଅନୁଯାୟୀ ଅଭିନେତ୍ରୀ କାଜଲ ନିକଟରେ ଏକ ସାକ୍ଷାତ୍କାରରେ କହିଥିଲେ ଭାରତରେ ପରିବର୍ତ୍ତନର ଗତି ଅତି ମନ୍ଥର। ଏହାର କାରଣ ଲୋକମାନେ ନିଜର ପରମ୍ପରାକୁ ଧରି ବସିଛନ୍ତି ଓ ଉପଯୁକ୍ତ ଶିକ୍ଷା ନାହିଁ। ଅପାଠୁଆ ରାଜନେତାମାନେ ଦେଶ ଚଳାଉଛନ୍ତି। ଏ ବିଷୟରେ ସେ ମନ୍ତବ୍ୟ ଦେବାପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପକ୍ଷରୁ ଛୁଟିଥିଲା ସମାଲୋଚନାର ସୁଅ।
କାଜଲଙ୍କ ମନ୍ତବ୍ୟ ଉପରେ ଜଣେ ପ୍ରତିକ୍ରିୟା ପ୍ରକାଶ କରି ଟ୍ଵିଟ୍ କରିଛନ୍ତି ପ୍ରିୟାପ୍ରୀତିତୋଷଣ ଯୋଗୁ ଉପରକୁ ଉଠିଥିବା ଏହି କାଜଲ ଜଣେ ମୂର୍ଖ ସ୍କୁଲ୍ ଡ୍ରପ୍ଆଉଟ୍। ତାଙ୍କ ସ୍ଵାମୀ କ୍ୟାନ୍ସର ବିକ୍ରି କରନ୍ତି। ଆଉ ୟାଙ୍କ ଓଭରକନଫିଡେନ୍ସକୁ ଦେଖ। ଆଉ ଜଣେ ଲେଖିଛନ୍ତି କାଜଲ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି।
ଅନ୍ୟପକ୍ଷରେ ଆଉ କିଛି ଲୋକ କାଜଲଙ୍କୁ ସମର୍ଥନ କରିଛନ୍ତି। ଜଣେ ଲେଖିଛନ୍ତି ସେ ନିଜକୁ ଉଚ୍ଚଶିକ୍ଷିତ ବୋଲି କହୁନାହାନ୍ତି। କିନ୍ତୁ ତାଙ୍କର କିଛି ନକଲି ଡିଗ୍ରି ନାହିଁ। ଜଣେ ଲେଖିଛନ୍ତି ସେ (କାଜଲ) ପାଠ ପଢ଼ି ନ ଥିଲେ କ’ଣ ହେଲା, ସେ କ’ଣ ଦେଶ ଚଳାଉଛନ୍ତି ? ସେ ତାଙ୍କ ବ୍ୟବସାୟ ଓ ପରିବାର କଥା ବୁଝୁଛନ୍ତି। ଅପାଠୁଆ ରାଜନେତାଙ୍କ ପରି ନକଲି ଡିଗ୍ରି ଦେଖାଇ ସେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉନାହାନ୍ତି।
ପରେ କାଜଲ ନିଜ ମନ୍ତବ୍ୟ ଉପରେ ସଫେଇ ଦେଇ କହିଛନ୍ତି ଶିକ୍ଷାର ଗୁରୁତ୍ଵ ଉପରେ କହିବା ଥିଲା ତାଙ୍କ ଉଦ୍ଦେଶ୍ୟ। କୌଣସି ରାଜନେତାଙ୍କୁ ହୀନ ପ୍ରତିପାଦିତ କରିବା ପାଇଁ ସେ ଏହା କହିନାହାନ୍ତି। ଆମ ଦେଶରେ ଅନେକ ମହାନ ରାଜନେତା ଅଛନ୍ତି ଓ ସେମାନେ ଦେଶକୁ ଠିକ୍ ମାର୍ଗରେ ପରିଚାଳିତ କରୁଛନ୍ତି ବୋଲି କାଜଲ କହିଛନ୍ତି।