ନିୟମ ଉଲ୍ଲଙ୍ଘନ ପାଇଁ ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କୁ ନୋଟିସ୍‌

କୋଲକାତା : ଭବାନୀପୁର ଉପ ନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରିୟଙ୍କା ତିବ୍ରେୱାଲଙ୍କ ପାଇଁ ଅଡ଼ୁଆ ବଢିଛି। ଦୁଇଦିନ ତଳେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ତାଙ୍କୁ ରିଟର୍ଣ୍ଣିଂ ଅଫିସର ନୋଟିସ କରିଥିବା ଜଣାପଡ଼ିଛି।

ବୁଧବାର ରିଟର୍ଣ୍ଣିଂ ଅଫିସର ଜାରି କରିଥିବା ନୋଟିସରେ କହିଛନ୍ତି ପ୍ରିୟଙ୍କା ତ୍ରିବେୱାଲ ନାମାଙ୍କନ ଦାଖଲ କରିବା ସମୟରେ ନିର୍ବାଚନ ଆଚରଣ ବିଧି ଓ କୋଭିଡ-୧୯ ଗାଇଡଲାଇନକୁ ଉଲ୍ଲଙ୍ଘନ କରିଛନ୍ତି। ନିର୍ବାଚନ କମିଶନ ନାମାଙ୍କନ ଦାଖଲ ସମୟରେ ଶୋଭାଯାତ୍ରା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଥିଲେ। କିନ୍ତୁ ପ୍ରିୟଙ୍କା ଏହାଠାରୁ ଅଧିକ ଗାଡ଼ିର ବ୍ୟବହାର କରିଥିଲେ। ସେହିପରି ନାମାଙ୍କନ ଦାଖଲ ପୂର୍ବରୁ ଓ ପରେ ଶୋଭାଯାତ୍ରା ନ କରିବାକୁ ଜାରି ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରାଯାଇଛି। ତେଣୁ କାହିଁକି ଉପ ନିର୍ବାଚନ ବେଳେ ତାଙ୍କୁ ଦିଆଯାଇଥିବା ଶୋଭାଯାତ୍ରାର ଅନୁମତିକୁ ରଦ୍ଦ କରା ନ ଯିବ ତା’ର ଜବାବ ଦାଖଲ କରିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ କୌଣସି ପ୍ରକାରର ନିୟମ ବାହାରେ କାମ କରି ନଥିବା ସଫେଇ ଦେଇଛନ୍ତି ପ୍ରିୟଙ୍କା। ସେ କହିଛନ୍ତି ନିର୍ବାଚନ କମିଶନଙ୍କ ଆଗରେ ଏପରି ଅମୂଳକ ଅଭିଯୋଗ କରି ମୋତେ ନିର୍ବାଚନ ପ୍ରଚାରରୁ ରୋକିବାକୁ ଚେଷ୍ଟା କରାଯାଉଛି। ନାମାଙ୍କନ ଦାଖଲ ସମୟରେ ଆମେ କେବଳ ଦୁଇଟି କାରର ବ୍ୟବହାର କରିଥିଲୁ।

ଅନ୍ୟ କାର୍‌ଗୁଡ଼ିକ ବିଷୟରେ ଆମେ କିଛି ବି ଜାଣିନୁ। ଗୋଟିଏ କାର୍‌ରେ ଶୁଭେନ୍ଦୁ ଅଧିକାରୀ ଓ ମୁଁ ରହିଥିଲୁ। ଆଉ ଗୋଟିଏ କାର୍‌ରେ ମୋ ସୁରକ୍ଷାକର୍ମୀ ରହିଥିଲେ। ମୋ ପାଖକୁ ଆସିଥିବା ନୋଟିସର ଜବାବ ଭାରତୀୟ ନିର୍ବାଚନ କମିଶନକୁ ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ସେପ୍ଟେମ୍ବର ୩୦ରେ ଭବାନୀପୁରରେ ଉପନିର୍ବାଚନ ପାଇଁ ଭୋଟିଂ ହେବ। ଏଠାରେ ଟିଏମସିରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ବିଜେପି ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି।

Leave a Reply

Your email address will not be published. Required fields are marked *

Back to top button