କାନାଡା ଲୋକଙ୍କ ପାଇଁ ଭାରତ ସରକାର ଭିସା ସେବା ରଦ୍ଦ କଲେ

ନୂଆଦିଲ୍ଲୀ : କାନାଡା ଓ ଭାରତ ମଧ୍ୟରେ ତିକ୍ତତା ବଢି ଚାଲିଥିବାରୁ କାନାଡା ଲୋକଙ୍କ ପାଇଁ ଭାରତ ଭିସା ସେବା ଅନିର୍ଦ୍ଧିଷ୍ଟ କାଳ ରଦ୍ଦ କରିଛି। ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ୍ ଜାରି କରି ସୂଚନା ଦିଆଯାଇଛି।

ଖବର ଅନୁଯାୟୀ ନୋଟିସରେ ଦର୍ଶାଯାଇଛି ପରିଚାଳନା ଗତ କାରଣରୁ ସେପ୍ଟେମ୍ବର ୨୧ ତାରିଖଠାରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ଭିସା ସେବାକୁ ରଦ୍ଦ କରିଦିଆଯାଉଛି। ସୂଚନାଯୋଗ୍ୟ ଭାରତ-କାନାଡା କଳି ବଢୁଥିବା ବେଳେ କାନାଡ଼ାର ଆଭିମୁଖ୍ୟ ଏହି ନିଆଁରେ ଘିଅ ଢାଳିଛି। ଭାରତ ଖଲିସ୍ତାନୀ ଆତଙ୍କୀଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିଥିଲା। କିନ୍ତୁ କାନାଡ଼ା ଏହାକୁ ଅଣଦେଖା କରିଥିବା ବେଳେ ଖଲିସ୍ତାନୀଙ୍କ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ନେଇ ସୂଚନା ମିଳିଛି। ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ଜୁନ ୧୮ରେ ତାରିଖରେ ହତ୍ୟାର ଶିକାର ହେବା ପରଠାରୁ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢିଚାଲିଛି। ଖଲିସ୍ତାନୀ ଆତଙ୍କୀର ହତ୍ୟା ପାଇଁ କାନାଡ଼ା ଭାରତକୁ ଦାୟୀ କରୁଛି।

ଅନ୍ୟପକ୍ଷରେ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଭାରତ ସରକାର ଆଡଭାଇଜରୀ ଜାରି କରିଛନ୍ତି। ଅଧିକରୁ ଅଧିକ ସତର୍କତା ଆପଣାଇବାକୁ କୁହାଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେଉଁମାନେ କାନାଡାରେ ରହୁଛନ୍ତି ବା ସେଠାକୁ ଯାତ୍ରା କରୁଛନ୍ତି ସେମାନଙ୍କୁ ଅଧିକ ସତର୍କ ରହିବା ଜରୁରୀ। ଭାରତ ବିରୋଧରେ କାନାଡାରେ ଅପରାଧିକ ଗତିବିଧି, ହିଂସା, ଘୃଣା ବୃଦ୍ଧି ପାଉଛି। ଏଥିସହ ସେଠାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଜାରି କରାଯାଇଥିବା ବେଳେ ସମସ୍ୟା ହେଲେ ଭାରତୀୟ ଦୂତାବାସକୁ ଆପରେ ଜଣାଇବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button