‘ଦ କେରଳ ଷ୍ଟୋରି’ର କାହାଣୀକୁ ନେଇ ବିବାଦ : ପ୍ରମାଣ ପାଇଁ ଏକକୋଟି ପୁରସ୍କାର ଘୋଷଣା

ଥିରୁବନନ୍ତପୁରମ୍‌ : ‘ଦ କେରଳ ଷ୍ଟୋରି’। ମଇ ୫ ତାରିଖରେ ବଡ଼ ପରଦାକୁ ଆସିବାକୁ ଥିବା ଏହି ଚଳଚ୍ଚିତ୍ର ପାଇଁ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କାହାଣୀକୁ ନେଇ ପ୍ରଶ୍ନ ଉଠାଇଛି କେରଳ ଷ୍ଟେଟ୍‌ କମିଟି ଅଫ୍‌ ମୁସଲିମ୍‌ ୟୁଥ୍‌ ଲିଗ୍‌। ଏହାକୁ ପ୍ରମାଣିତ କରିବା ବ୍ୟକ୍ତିଙ୍କୁ ଦେବ ତାଙ୍କୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି।

ଖବର ଅନୁଯାୟୀ ‘ଦ କେରଳ ଷ୍ଟୋରି’ ଚଳଚ୍ଚିତ୍ରରେ ରାଜ୍ୟରୁ ନିଖୋଜ ହୋଇ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ରେ ଯୋଗ ଦେଇଥିବା ୩୨,୦୦୦ ମହିଳାଙ୍କ କାହାଣୀ ଦର୍ଶାଉଛି।। କେରଳ ଷ୍ଟେଟ୍‌ କମିଟି ଅଫ୍‌ ମୁସଲିମ୍‌ ୟୁଥ୍‌ ଲିଗ୍‌ କରିଥିବା ଘୋଷଣାନାମାରେ କୁହାଯାଇଛି ଚଳଚ୍ଚିତ୍ରରେ ଦାବି ପଛର ପ୍ରମାଣ ପ୍ରଦାନ ପାଇଁ ମଇ ୪ ତାରିଖରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ କେନ୍ଦ୍ର ଖୋଲାଯିବ। ଯେ କେହି ଏହାର ପ୍ରମାଣ ବହନ କରୁଥିବା ବିବରଣୀ ସଂଗ୍ରହ କେନ୍ଦ୍ରରେ ପକାଇପାରିବେ। ଏହାଛଡା ‘୩୨ ହଜାର କେରଳବାସୀ ଧର୍ମ ପରିବର୍ତ୍ତନ କରି ସିରିଆ ପଳାଇଯାଇଥିବା ଅଭିଯୋଗକୁ ପ୍ରମାଣିତ କରନ୍ତୁ। ଚାଲେଞ୍ଜକୁ ଗ୍ରହଣ କରି ପ୍ରମାଣ ଦାଖଲ କରନ୍ତୁ’ ବୋଲି କମିଟି ପକ୍ଷରୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

କେବଳ ମୁସଲିମ ସଂଗଠନ ନୁହେଁ ସିନେମାକୁ ନେଇ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ କେରଳ ବିରୋଧରେ ଘୃଣା ପ୍ରଚାର କରିବାକୁ ଉଦ୍ଦେଶ୍ୟମୂଳକ ଭାବରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। କେରଳର ଧର୍ମନିରପେକ୍ଷତାର ଭୂମିରେ ଧାର୍ମିକ ଉଗ୍ରବାଦର କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ସଂଘ ପରିବାରର ପ୍ରଚାର ପ୍ରସାର କରିବାକୁ ଫିଲ୍ମ ପ୍ରୟାସ କରୁଛି। ଟ୍ରେଲରରୁ ଏହା ଜଣାପଡ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ ସାଂସଦ ଶଶି ଥରୁର ଟୁଇଟର ହାଣ୍ଡେଲରେ ଲେଖିଛନ୍ତି ଏହା ଆପଣଙ୍କ କେରଳ କାହାଣୀ ହୋଇପାରେ। କିନ୍ତୁ ଆମ କେରଳର କାହାଣୀ ନୁହେଁ। ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ଓ ବିପୁଲ ଅମୃତଲାଲ ଶାହାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଆଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧି ଇଦାନି ଓ ସୋନିଆ ବାଲାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button