ଡିସେମ୍ବର ୧ରେ କଂଗ୍ରେସର ତୁଳସୀ ଯାତ୍ରା

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ ତାରିଖ ଦିନ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା କରାଯିବ। ଏହି ଘୋଷଣା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଖବର ଅନୁଯାୟୀ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି। ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଏବଂ ବେଦାନ୍ତ ଅଧିକୃତ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ ସମେତ ୬ଟି ଦାବିକୁ ନେଇ କଂଗ୍ରେସ ଅକ୍ଟୋବର ୧୬ରେ ପୁରୀଠାରେ କରିଥିଲା ବିକ୍ଷୋଭ ଶୋଭାଯାତ୍ର। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅକ୍ଟୋବର ୨୯ ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ସରକାର ପଦକ୍ଷେପ ନନେବାରୁ ସାରା ରାଜ୍ୟରେ ଜଗନ୍ନାଥଙ୍କ ସମ୍ମୁଖରେ ନଭେମ୍ବର ୯ ତାରିଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା। ସେହିକ୍ରମରେ ଡିସେମ୍ବର ୧ ତାରିଖ ଦିନ ତୁଳସୀ ଯାତ୍ରା କରାଯିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ହବିଷ୍ୟାଳି, ଭକ୍ତ, ମଉସା ମାଉସୀ, ଭାଇ ଭଉଣୀ ଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ। ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ୱାବଧାନରେ ନଗର/ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଂଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ। ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଡିସେମ୍ବର ୧ ତାରିଖ ସୁଦ୍ଧା ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଆଣିବେ। ଡିସେମ୍ବର ୧ ତାରିଖ ଦିନ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଓ ସଜ ତୁଳସୀ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ। ସେହିଦିନ ଶ୍ରୀକ୍ଷେତ୍ରର ଶରଧାବାଲି ଠାରେ ଜଗନ୍ନାଥ ପ୍ରେମୀ ଭକ୍ତ, କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିବେ। ଯଦି ଏହି ଆନ୍ଦୋଳନ ପରେ ସରକାର ୬ଟି ଦାବିର ସମାଧାନ ନେଇ ପଦକ୍ଷେପ ଗ୍ରହଣ ନକରିବେ ତେବେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଓ ପୂର୍ବତନ ମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button