କଂଗ୍ରେସରୁ ଆସିଥିବା ସୁସ୍ମିତା ଟିଏମସିର ରାଜ୍ୟସଭା ପ୍ରାର୍ଥୀ

କୋଲକାତା : ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମାସକ ତଳେ କଂଗ୍ରେସ ଛାଡ଼ି ଯୋଗଦେଇଥିଲେ ସୁସ୍ମିତା ଦେବ। ଆଜି ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଟିଏମସି ମନୋନୀତ କରିଥିବା ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଆମେ ବେଶ ଖୁସିର ସହ ସୁସ୍ମିତା ଦେବଙ୍କୁ ସଂସଦର ଉଚ୍ଚସଦନକୁ ମନୋନୀତ କରୁଛୁ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମମତା ବାନାର୍ଜୀ ଲକ୍ଷ୍ୟ ରଖିଥିବା ବେଳେ ଅଧିକ ସଂଖ୍ୟକ ମହିଳା ରାଜନୀତିରେ ସାମିଲ ହେଲେ ଆମ ସମାଜ ଅଧିକ କିଛି ହାସଲ କରିପାରିବ।

ଟିଏମସିର ଏପରି ଉପହାରକୁ ଟ୍ୱିଟ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ସୁସ୍ମିତା ଦେବ। ସେ କହିଛନ୍ତି ମୁଁ ବେଶ ଉତ୍ସାହିତ। ମୁଁ ମୋ ନେତା ମମତା ବାନାର୍ଜୀଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଛୁ। ସଂସଦରେ ଅଧିକରୁ ଅଧିକ ମହିଳାଙ୍କୁ ଦେଖିବା ପାଇଁ ସେ ସବୁବେଳେ ଚେଷ୍ଟା କରନ୍ତି। ଏହା ତାଙ୍କ ଉଦାରତା। ମୁଁ ସଂସଦରେ ଶତପ୍ରତିଶତ ଭଲ କାମ କରିବାକୁ ଚେଷ୍ଟା କରିବି।

ଉଚାନଯୋଗ୍ୟ ସୁସ୍ମିତା ଦେବ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବ ଓ ପୂର୍ବତନ ବିଧାୟକ ବିତିକା ଦେବଙ୍କ ଝିଅ। ସେ ଆସାମର ସିଲଚାରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନ ସମୟରେ ସେ ସିଲଚାରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ହେଁ ବିଜେପିର ରାଜଦୀପ ରୟଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।

ଟିଏମସିରେ ଯୋଗଦେବା ପୂର୍ବରୁ ସେ ମହିଳା କଂଗ୍ରେସର ମୁଖ୍ୟ ଭାବେ କାମ କରୁଥିଲେ। ଟିଏମସିରୁ ମାନସ ରଞ୍ଜନ ଭୂୟାଁ ରାଜ୍ୟସଭାକୁ ଯାଇଥିଲେ। ସେ ଇସ୍ତଫା ଦେଇଥିବାରୁ ଏହି ପଦ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ସୁସ୍ମିତା ଦେବ ରାଜ୍ୟସଭାକୁ ଯିବେ। ଏଥିପାଇଁ ଅକ୍ଟୋବର ୪ରେ ନିର୍ବାଚନ ହେବ।

Leave a Reply

Your email address will not be published. Required fields are marked *

Back to top button