ମହଙ୍ଗା ପଡ଼ିଲା ମହିଳା ନେତ୍ରୀଙ୍କୁ ପ୍ରେମ ନିବେଦନ : ବିଜେଡି ବ୍ଲକ ସଭାପତି ନିଲମ୍ବିତ

ଭୁବନେଶ୍ଵର : ମହିଳା ନେତ୍ରୀଙ୍କୁ ପ୍ରେମ ନିବେଦନ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡ଼ାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗଣମାଧ୍ୟମରେ ପ୍ରକାଶିତ ପରେ ଶୁକ୍ରବାର ଦଳରୁ ହୋଇଛନ୍ତି ନଲମ୍ବିତ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା ତାଙ୍କୁ ନିଲମ୍ବିତ କରିଛନ୍ତି। ଏ ସମ୍ପର୍କରେ ସେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଓ ବିଜେଡିର ସାଗଂଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସୂଚିତ କରିଛନ୍ତି।
ଖବର ଅନୁଯାୟୀ ଶଶାଙ୍କ ଶେଖର ପରିଡ଼ାଙ୍କ ନାଁରେ ଗରଦପୁର ବ୍ଳକ୍ ମହିଳା ବିଜେଡିର ସାଧାରଣ ସ˚ପାଦିକା କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଘର ପାଖଡ଼ ପ˚ଚାୟତରେ। କିନ୍ତୁ ସେ ପରିବାର ସହିତ କେନ୍ଦ୍ରାପଡ଼ା ସାନମ˚ଗଳାସ୍ଥିତ ଭଡ଼ାଘରେ ରହୁଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଗତ ପାଞ୍ଚ ଛଅ ବର୍ଷ ହେବ ବିଜେଡିର ଜଣେ ଆଗଧାଡ଼ିର ମହିଳା ସ˚ଗଠିକା ଭାବେ ପାଟକୁରା ନିର୍ବାଚନମଣ୍ତଳୀ ପାଇଁ କାମ କରୁଛନ୍ତି। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ବ୍ଲକ୍ ସଭାପତି ଶ୍ରୀ ପରିଡ଼ାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍ଙ୍କ ପ୍ରତିନିଧି ହିସାବରେ ତାଙ୍କ ପୁଅ ସ˚ଜୟ ଅଗ୍ରୱାଲ୍ (ବବୁଲା ଭାଇ) ତାଙ୍କୁ ଦଳୀୟ କାର୍ଯ୍ୟକ୍ରମକୁ ଡାକନ୍ତି।
ଶ୍ରୀ ପରିଡ଼ା ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ ସହିତ ଆପତ୍ତିଜନକ ଟିପ୍ପଣୀ ବାରମ୍ବାର ଦେବାରୁ ସେ ସ˚ଜୟ ଅଗ୍ରୱାଲ୍ଙ୍କୁ ଜଣାଇଥିଲେ। ଘଟଣାର ପୁନରାବୃତ୍ତି ଘଟିବ ନାହିଁ ବୋଲି ମିଳିଥିଲା ପ୍ରତିଶ୍ରୁତି। ହେଲେ ଶ୍ରୀ ପରିଡ଼ା ମୋବାଇଲ୍ରେ ଫୋନ୍ କରି ଦେହର ଅଙ୍ଗକୁ ନେଇ ଆକ୍ଷେପ କରିବା ସହିତ ଅଶ୍ଳୀଳ ଭାଷାରେ କଥା ହେବାରୁ ସେ ଫୋନ୍ କାଟି ଦେଇଥିଲେ। ୨୦୨୨ ନଭେମ୍ବର ୨୩ ତାରିଖରେ ସଭାପତି ଶ୍ରୀ ପରିଡା ତାଙ୍କୁ ଫୋନ୍ କରି ବାରମ୍ବାର ‘ଆଇ ଲଭ୍ ୟୁ’ କହିବା ସହିତ ଅଶ୍ଳୀଳ ଓ ଅଭଦ୍ର ଭାଷାରେ କଥା ହୋଇଥିଲେ। ସ˚ଜୟ ଅଗ୍ରୱାଲ୍ ତାଙ୍କ ତରଫରୁ ‘ଆଇ ଲଭ୍ ୟୁ’ ଜଣାଇଦେବାକୁ ତାଙ୍କୁ କହିଥିବା ସେ କହିଥିଲେ। ଏହାର ଦୃଢ଼ ପ୍ରତିବାଦ କରିବା ସହିତ ମୋବାଇଲ୍ ଫୋନ କନଫରେନ୍ସିଂରେ ସ˚ଜୟ ଅଗ୍ରୱାଲ୍ଙ୍କ ସହିତ କଥା କରାଇବାକୁ କହିବାରୁ ଉତ୍କ୍ଷିପ୍ତ ହେଇ ସଭାପତି ଫୋନ୍ କାଟି ଦେଇଥିଲେ ନେତ୍ରୀ ଜଣଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।