ହୁମା, ହିନା ଓ କପିଲ ଶର୍ମାଙ୍କୁ ଇଡି ସମନ

ମୁମ୍ବାଇ : ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ନେଇ ଯାଞ୍ଚ କରୁଛି କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ବଲିଉଡର ରଣବୀର କପୁରଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ହୁମା କୁରେଶୀ, ହିନା ଖାନ୍ ଓ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ସମନ ଜାରି ହୋଇଛି।

ଖବର ଅନୁଯାୟୀ ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟି ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ରଣବୀର କପୁରଙ୍କ ବ୍ୟତୀତ ହୁମା କୁରେଶୀ, ହିନା ଖାନ୍ ଓ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା, ସୌରଭଙ୍କ ବିବାହରେ ସାମିଲ ହୋଇଥିଲେ। ସେଥିପାଇଁ ଇଡି ସେମାନଙ୍କୁ ସମନ ଜାରି କରିଛି।

ସୂଚନାଯୋଗ୍ୟ ୨୦୨୩ ଫେବ୍ରୁଆରିରେ ଆୟୋଜିତ ଏହି ବିବାହ ଉତ୍ସବରେ ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ସମୟରେ ‘ମହାଦେବ ଅନଲାଇନ୍ ବେଟିଂ ଆପ’ର ପ୍ରମୋଟରଙ୍କର ପାକିସ୍ତାନ ସଂଯୋଗ ସାମ୍ନାକୁ ଆସିଛି। ଅର୍ଥ ହେରଫେର ଘଟଣାର ଅନୁସନ୍ଧାନ କରୁଥିବା ଇଡି ସୂତ୍ର ଅନୁଯାୟୀ ପଳାତକ ଅଭିଯୁକ୍ତ ସୌରଭ ଚନ୍ଦ୍ରକର ଓ ତାଙ୍କ ସହଯୋଗୀ ରବି ଅପ୍ପାଲ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି। ସେମାନେ ଏହାର ନାମ ଉର୍ଦ୍ଦୁରେ ରଖିଛନ୍ତି। ଏଥିପାଇଁ ତାଙ୍କୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଡ୍ ଇବ୍ରାହିମର ସୁରକ୍ଷା ମିଳିଛି।

Leave a Reply

Your email address will not be published. Required fields are marked *

Back to top button