ଆନନ୍ଦପୁର : ଆମ୍ବୁଲାନ୍ସ ନମିଳିବାରୁ ବୃଦ୍ଧ ଆଖି ବୁଜିଲେ

ଘସିପୁରା : ବୃଦ୍ଧା ଆମ୍ବୁଲାନ୍ସ ସେବା ମିଳିଲାନି। ୪ ଘଣ୍ଟା ଅପେକ୍ଷା କରି ଶେଷରେ ଆଖି ବୁଜିଲେ ବୃଦ୍ଧା। ଏଭଳି ଦୁଃଖଦ ଘଟଣା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି।
ଖବର ଅନୁଯାୟୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାମ୍ଫିଡି ଗ୍ରାମର ବାଜିଆ ପାତ୍ର ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଗରିବ ପରିବାର ହୋଇଥିବାରୁ ସେମାନେ ଆମ୍ବୁଲାନ୍ସ ପାଇଁ ସ୍ୱାସ୍ଥ୍ୟମିତ୍ରଙ୍କ ପାଖକୁ ବାରମ୍ବାର ଦଉଡ଼ି ଥିଲେ। ସେ କହିଲେ ଆମ୍ବୁଲାନ୍ସ ଯୋଗାଡ ହୋଇପାରୁନି ଅନ୍ୟ ଭଡ଼ା ଗାଡ଼ିରେ ନେଇଯାଅ। ହେଲେ ବାଜିଆଙ୍କ ପରିବାର ଲୋକେ ଅର୍ଥ ଅଭାବରୁ ଗାଡି ଯୋଗାଡ଼ କରିପାରିଲେନି। ଆମ୍ବୁଲାନ୍ସ ପାଇଁ ୪ ଘଣ୍ଟା ଅପେକ୍ଷା ପରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉପଖଣ୍ଡ ଚିକିତ୍ସାଳୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।
ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ଅନେକ ସମୟରେ ରୋଗୀମାନେ ରେଫର ହୋଇ ସକାଳୁ ସନ୍ଧ୍ୟା ଯାଏ ଅପେକ୍ଷା କରୁଥିଲେ ମଧ୍ୟ ଆମ୍ବୁଲାନ୍ସ ନପାଇ ହଇରାଣ ହେଉଛନ୍ତି। କିଛି ଆମ୍ବୁଲାନ୍ସ କର୍ମଚାରୀ ଜାଣିଶୁଣି ଡାକ୍ତରଖାନା ପରିସର ଠାରୁ ଅନତି ଦୂରରେ ରହି ଲୋକାର୍ କଲକୁ ଅପେକ୍ଷା କରୁଥିବା କୁହାଯାଉଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।



























